jayashree

କେସିଙ୍ଗା ଅବକାରୀ ବିଭାଗକୁ ସଫଳତା ୧୦୦ କେଜି ଗଞ୍ଜେଇ ସହ ପିସ୍ତଲ ଜବତ : ଦୁଇ ଅଭିଯୁକ୍ତ ଗିରଫ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗଞ୍ଜେଇ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଅବକାରୀ ବିଭାଗ ମଧ୍ୟ ତାର ଦାୟିତ୍ୱ ନିରନ୍ତର କରୁଆସୁଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ ସହ ଗୋଟିଏ ପିସ୍ତଲ ଓ ୫ଟି ଅଫୁଟା ଗୁଳି ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର କେସିଙ୍ଗା ଅବକାରୀ ଥାନାର ଓ.ଆଇ.ସି. ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ୍ କେସିଙ୍ଗା ବ୍ଲକର ଅମାଠ ଛକରୁ ଜାତୀୟ ରାଜପଥ ୫୯ ଦେଇ ମଦନପୁର ରାମପୁର ଯିବା ରାସ୍ତାରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ପଲମ ଛକ ନିକଟସ୍ଥ ଟୋଲଗେଟ୍ ପାଖରେ ଏକ ଅଟୋରିକ୍ସାକୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ, ଗୋଟିଏ ପିସ୍ତଲ, ୫ଟି ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଥିଲା । ଏଥିସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ଅଟୋରିକ୍ସାକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । ଗଞ୍ଜେଇ ଚାଲାଣ ଓ ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାର ରାଜ୍ୟର ଶ୍ରୀରାମ ଗୌଡ଼ (୩୦) ଏବଂ ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟସ୍ଥ ଭୁଆଁପଡ଼ା ଗ୍ରାମର ଭୋଳା ହରପାଳ (୩୫) । ଉଭୟଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଚଢ଼ାଉରେ କେସିଙ୍ଗା ଅବକାରୀ ଥାନାର ଓ.ଆଇ.ସି. ମଳୟ କୁମାର ପ୍ରଧାନଙ୍କ ସହ ଅବକାରୀ କନେଷ୍ଟବଲ ସିଆରୀ ହରିଜନ, ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ ଓ କୀର୍ତ୍ତି ଜେନା ପ୍ରମୁଖ ସାମିଲ ଥିଲେ । ଗଞ୍ଜେଇ ଚାଲାଣ ଓ ଅସ୍ତ୍ରଶସ୍ତ୍ର ଜବତ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି ।

Leave A Reply

Your email address will not be published.