jayashree

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ମୟୂରଭଞ୍ଜର ଚମକ, ହାତେଇଲେ ୧୦ ପଦକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସନ୍ତରଣ କ୍ରୀଡ଼ାରେ ମୟୂରଭଞ୍ଜ ଜିଲ୍ଲାର ଉଲ୍ଲେଖନୀୟ ସଫଳତା। ସମ୍ବଲପୁରସ୍ଥିତ ଝସକେତନ ସାହୁ ସନ୍ତରଣାଗାରରେ ଅନୁଷ୍ଠିତ ୧୪ତମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ସର୍ବ-ଓଡ଼ିଶା ଓପନ୍ ସନ୍ତରଣ ପ୍ରତିଯୋଗିତାରେ ଜିଲ୍ଲାର ପ୍ରତିଯୋଗୀମାନେ ମୋଟ ୧୦ଟି ପଦକ ଜିତି ଗୌରବ ଆଣିଛନ୍ତି। ପ୍ରତିଯୋଗିତାର ବିଭିନ୍ନ ବୟସ ବର୍ଗରେ ମୟୂରଭଞ୍ଜର ସନ୍ତରଣକାରୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଗ୍ରୁପ୍‌-୩ ବାଳିକା ବର୍ଗରେ ତନୁଜା ମହାନ୍ତ ୫୦ ମିଟର ଫ୍ରିଷ୍ଟାଇଲ୍‌ ଓ ବଟରଫ୍ଲାଇରେ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ସେହିପରି ରୁଷା କିସ୍କୁ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ରୌପ୍ୟ ଏବଂ ଫ୍ରିଷ୍ଟାଇଲ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି। ବାଲେ ହୋ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ରୌପ୍ୟ ପଦକ ଜିତି ଜିଲ୍ଲାର ସଫଳତାକୁ ଆଗକୁ ବଢ଼ାଇଛନ୍ତି। ସିନିୟର ପୁରୁଷ ବର୍ଗରେ ସରବଣ କୁମାର ପ୍ରଧାନ ୫୦ ମିଟର ବଟରଫ୍ଲାଇ ଓ ଫ୍ରିଷ୍ଟାଇଲ୍‌ରେ ଦ୍ୱିତୀୟ ସ୍ଥାନ ହାସଲ କରି ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ, ମାଷ୍ଟର୍ସ ୨୫ରୁ ୨୯ ବର୍ଷ ବୟସ ବର୍ଗରେ କମଳକୃଷ୍ଣ ଘୋଷ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମାଷ୍ଟର୍ସ ୩୫ରୁ ୩୯ ବର୍ଷ ବୟସ ବର୍ଗରେ ସ୍ନେହଲତା ଧଳ ୫୦ ମିଟର ଫ୍ରିଷ୍ଟାଇଲ୍‌ ଓ ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରଥମ ସ୍ଥାନ ହାସଲ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମୟୂରଭଞ୍ଜର ସନ୍ତରଣକାରୀମାନଙ୍କ ଏହି ସଫଳତା ଜିଲ୍ଲାରେ ସନ୍ତରଣ କ୍ରୀଡ଼ାର ବିକାଶ ସହ ନୂତନ ପ୍ରତିଭାଙ୍କୁ ଉତ୍ସାହିତ କରିବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ. ଶୁଭାଶିଷ ନାୟକ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.