
ଭାନପୁର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ଶୁଣିଲେ ବିଡ଼ିଓ, ବିଭିନ୍ନ ବିଭାଗର ଅନୁପସ୍ଥିତିକୁ ନେଇ ପ୍ରଶ୍ନ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲୋକଙ୍କ ସମସ୍ୟାର ସମାଧାନ ଓ ସରକାରୀ ଯୋଜନାର ସୁଫଳ ଯୋଗାଇଦେବା ଲକ୍ଷ୍ୟରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିଥିଲେ । ମୋଟ ୭୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ଶିବିରରେ ମୁଖ୍ୟତଃ ଭିଭିଜିରାମଜି, ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନାରେ ଘର ପାଇବା ସମ୍ପର୍କିତ ଅଭିଯୋଗ ଅଧିକ ରହିଥିଲା । ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ନିୟମ ଅନୁଯାୟୀ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜଣେ ଦାୟିତ୍ୱ ସମ୍ପନ୍ନ ପ୍ରଶାସନିକ ଅଧିକାରୀ ଭାବେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ ଓ ସମସ୍ୟା ଶୁଣିବାର ତାଙ୍କର ଏହି ତତ୍ପରତା ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି । ତେବେ ଲୋକଙ୍କ ଆଶାକୁ ବାସ୍ତବ ରୂପ ଦେବା ପାଇଁ ଅଭିଯୋଗର ତ୍ୱରିତ ସମାଧାନ ହିଁ ହେବ ପ୍ରଶାସନର ପ୍ରକୃତ ସଫଳତା । ଅନ୍ୟପକ୍ଷରେ, ଏହି ଶିବିରରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଏପିଓ ପ୍ରଶାନ୍ତ କୁମାର ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର, ଯନ୍ତ୍ରୀ ଦୀପକ ବେହେରାଙ୍କ ସମେତ ବନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ । କିନ୍ତୁ ଜନସାଧାରଣଙ୍କ ଅଭିଯୋଗ ସହ ସିଧାସଳଖ ଜଡ଼ିତ ଶିକ୍ଷା ବିଭାଗ, କୃଷି ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗର କୌଣସି କର୍ମଚାରୀ ଶିବିରରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା ।