
- ଅନ୍ଧକାର ବିନାଶ ଓ ଅଭୟ ପ୍ରଦାନର ଦିବ୍ୟ ସ୍ୱରୂପ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶାରଦୀୟ ନବରାତ୍ରୀର ସପ୍ତମ ଦିବସରେ ପବିତ୍ର ଦେବଭୂମି ସୁବର୍ଣ୍ଣପୁରର ଆରାଧ୍ୟା ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ କାଳରାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଆଦିଶକ୍ତି ମା’ ଦୁର୍ଗାଙ୍କ ନବରୂପ ମଧ୍ୟରୁ ସପ୍ତମ ସ୍ୱରୂପ ମା’ କାଳରାତ୍ରୀ ଶକ୍ତି, ସାହସ ଓ ଅଶୁଭ ଶକ୍ତିର ବିନାଶର ପ୍ରତୀକ । ପୌରାଣିକ ପରମ୍ପରା ଅନୁଯାୟୀ, ମା’ କାଳରାତ୍ରୀ ଦୁଷ୍ଟଶକ୍ତିର ବିନାଶ ସହ ଭକ୍ତମାନଙ୍କୁ ଅଭୟ ଓ ମଙ୍ଗଳ ପ୍ରଦାନ କରନ୍ତି । ତାଙ୍କୁ ‘ଶୁଭଙ୍କରୀ’ ମଧ୍ୟ କୁହାଯାଏ । ମା’ଙ୍କ ଆରାଧନା ମନରୁ ଭୟ ଓ ଅଜ୍ଞାନ ଦୂର କରି ସତ୍ୟ, ଧର୍ମ ଓ ନ୍ୟାୟର ପଥରେ ଅଗ୍ରସର ହେବାକୁ ପ୍ରେରଣା ଦିଏ । ନବରାତ୍ରୀର ଏହି ପବିତ୍ର ଅବସରରେ ମା’ଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମନରେ ଗଭୀର ଶ୍ରଦ୍ଧା ଓ ଭକ୍ତିଭାବ ପ୍ରକାଶ ପାଇଛି । ସମାଜରେ ଶାନ୍ତି, ସଦ୍ଭାବ ଓ ସମୃଦ୍ଧି ସହ ସମସ୍ତଙ୍କ ମଙ୍ଗଳ କାମନା କରି ଭକ୍ତମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।