
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ତାରିଖ ୧୪ ଅକ୍ଟୋବର ୨୦୨୬ ଦିନ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଫୁଲମଣି ମୁର୍ମୁ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଉପସଚିବ କଳ୍ପନା ହାଁସଦା, ଅତାବିରାର ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣି କୁମ୍ଭାର, ବରଗଡ଼ର ପେଡାଗୋଜି ସଂଯୋଜିକା ପୁଷ୍ପାଞ୍ଜଳି ଦାସ, ଆଇଇ ସଂଯୋଜକ ରାଜେନ୍ଦ୍ର ପ୍ରସାଦ ମହାନ୍ତି ଯୋଗ ଦେଇଥିଲେ । ପରିଦର୍ଶନ ସମୟରେ ଅଧିକାରୀମାନେ ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶିକ୍ଷାଦାନ ପ୍ରଣାଳୀ, ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି ଏବଂ ବିଦ୍ୟାଳୟରେ ଉପଲବ୍ଧ ଶିକ୍ଷଣୀୟ ସୁବିଧାସୁଯୋଗ ସମ୍ପର୍କରେ ଅବଲୋକନ କରିଥିଲେ । ଏଥିସହ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି, ଶିକ୍ଷାଦାନକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ଦିଗରେ ଆଲୋଚନା କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ, ରାଜ ବୋରାସମ୍ବର ଲୋକନାଥ ଭୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଇକମାଳ ଶୁଭମ କୁମାର ପତି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଓ ଉନ୍ନୟନ ମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଅଧିକାରୀ ମାନଙ୍କ ଏହି ପରିଦର୍ଶନ ବିଦ୍ୟାଳୟର ଶୈକ୍ଷିକ ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷାର ପ୍ରସାର ଦିଗରେ ଉତ୍ସାହଜନକ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।