
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ପୁରାତନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଗାନ୍ଧି ପାଠାଗାର, ଟିକ୍ରାପଡ଼ା ପକ୍ଷରୁ ନବନିର୍ମିତ ପୂଜା ମଣ୍ଡପର ଉଦ୍ଘାଟନୀ ଉତ୍ସବ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଆୟୋଜିତ ହେବ । ଏଥିସହ ଚଳିତ ବର୍ଷ ୫୯ତମ ସାର୍ବଜନୀନ ଦୁର୍ଗାପୂଜା ମଧ୍ୟ ଆରମ୍ଭ ହେବ । ଏହି ଅବସରରେ ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସଜାଇବା ସହ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନବନିର୍ମିତ ମଣ୍ଡପକୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିବେ । ସେହିପରି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେବେ । ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ଉଦ୍ୟମରେ ମିଳିଥିବା ଆର୍ଥିକ ସହାୟତାରେ ଏହି ନୂତନ ମଣ୍ଡପ ନିର୍ମାଣ ହୋଇଥିବାରୁ ପାଠାଗାର ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜଣାଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ୧୬ ତାରିଖ ସକାଳ ୮ଟାରୁ ପ୍ରତିଷ୍ଠା ପୂଜା, ଅପରାହ୍ନ ୪ଟାରେ ବିଲ୍ୱବରଣ ଏବଂ ସନ୍ଧ୍ୟା ୭ଟାରେ ନୂତନ ମଣ୍ଡପର ଉଦ୍ଘାଟନ କରାଯିବ । ରାତି ୮ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରତିଷ୍ଠା ପୂଜାରେ ପାଠାଗାରର ସଭାପତି ପ୍ରକାଶ କୁମାର ନେପାକ ଓ ତାଙ୍କ ସହଧର୍ମିଣୀ ଭାରତୀ ନେପାକ, ଉପସଭାପତି ସନ୍ତକ ବହିଦାର ଓ ତାଙ୍କ ସହଧର୍ମିଣୀ ମମତାମୟୀ ଦାସ କର୍ତ୍ତା ଓ ଉପକର୍ତ୍ତା ଭାବେ ଦାୟିତ୍ୱ ତୁଳାଇବେ । ଦୁର୍ଗାପୂଜା କମିଟିର ସଭାପତି ପ୍ରକାଶ କୁମାର ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗଙ୍କ ସମେତ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଉତ୍ସବର ସଫଳ ଆୟୋଜନ ପାଇଁ ଦାୟିତ୍ୱ ନେଇଛନ୍ତି । ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ଚିତ୍ତରଞ୍ଜନ ସାହୁ ଓ ତାଙ୍କ ସହଧର୍ମିଣୀ ସସ୍ମିତା ସାହୁ ଏବଂ ଉପକର୍ତ୍ତା ଭାବେ ଦୁର୍ଗାଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଳାଇବେ । ପଣ୍ଡିତ ଶୁକଦେବ ତ୍ରିପାଠୀ ଓ ତାଙ୍କ ସହଯୋଗୀମାନେ ପୂଜାକାର୍ଯ୍ୟ ସମ୍ପନ୍ନ କରିବେ । ଏହି ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ଗାନ୍ଧି ପାଠାଗାରର ସମ୍ପାଦକ ପ୍ରଦୀପ ସାହୁ ବଲାଙ୍ଗିରର ଜନସାଧାରଣ, ବିଭିନ୍ନ ପୂଜା ମଣ୍ଡପ, କ୍ଲବ ଓ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି ।