
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ଘୋଡ଼ାଘାଟପଡ଼ା ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଘୋଡ଼ାଘାଟପଡ଼ା ମୂଳ ନିବାସୀ ଯୁବକ ତଥା ବର୍ତ୍ତମାନ ତରଭା ତହସିଲ ଅଧୀନରେ କାର୍ଯ୍ୟରତ ତରୁଣାନନ୍ଦ ସାହୁ (ମୁନା) ୪୪ ବର୍ଷ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୁନା ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରେ ବିନିକା ତହସିଲ ଅଧୀନରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ସେ ତାଙ୍କ ବିନିକା ସ୍ଥିତ ସରକାରୀ ବାସଭବନରେ ରହୁଥିଲେ । ଚଳିତ ମାସ ଜିଲ୍ଲାର ତରଭା ତହସିଲକୁ ବଦଳି ହୋଇ ବ୍ରାହ୍ମଣୀରେ ଏଆର୍ଆଇ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ତାଙ୍କ ବିବାହିତ ଭଉଣୀ ସୋନପୁର ମୂଳ ଘରେ ରହୁଥିବା ବେଳେ ସେ ୧୦ ଦିନ ହେବ ତାଙ୍କ ବାସଭବନକୁ ଆସି ରହୁଥିଲେ । ଆତ୍ମହତ୍ୟାର ମୁଖ୍ୟ କାରଣ ମାନସିକ ଚାପ । ପୂର୍ବରୁ ମୁନା ତାଙ୍କ ପରିବାର ବର୍ଗଙ୍କ ସହ ସମ୍ପର୍କରେ ମଧ୍ୟ ନ ଥିବା ଓ ସାହି ପଡିଶା ତଥା ବନ୍ଧୁଙ୍କ ସହ ମଧ୍ୟ ବହୁତ୍ କମ୍ କଥାବାର୍ତ୍ତା କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣାପଡ଼ିଛି । ମୁନା ମୋଟାମୋଟି ଶାନ୍ତ ସ୍ଵଭାବର ଥିଲେ । ସୂଚନା ଅନୁଯାୟୀ ମୁନା ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ମୁନା ସହିତ ଝଗଡ଼ା କରି ପରେ ତାଙ୍କ ଛୋଟ ଝିଅକୁ ଧରି ତାଙ୍କ ମା’ ଘର ମୁନିଗୁଡ଼ା ପଳାଇଥିଲେ । ପରେ ଆଇନର ଆଶ୍ରୟ ନେଇ ତାଙ୍କ ସ୍ତ୍ରୀ ପ୍ରାୟ ମାସକୁ ୧୮,୫୦୦ ଟଙ୍କା ଭରଣ ପୋଷଣ ବାବଦକୁ ମୁନାଙ୍କ ମୂଳ ଦରମାରୁ ପାଉଛନ୍ତି । ସେପଟେ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ, ମୁନା ବ୍ୟାଙ୍କରୁ ଆଉ ୧୦ ଲକ୍ଷ ଟଙ୍କା ଋଣ କରି କୌଣସି ବ୍ୟକ୍ତି ବିଶେଷଙ୍କ ଠକାମୀର ଶୀକାର ହୋଇଥିବା ଚର୍ଚ୍ଚା ଧରିଛି ଯାହାକି ତଦନ୍ତ ସାପେକ୍ଷ । ତେଣୁ ତାଙ୍କ ଦରମାରୁ ପ୍ରାୟ ସମସ୍ତ ପଇସା କଟି ଯାଉଥିଲା । ସେ ମାନସିକ ଅବସାଦ ଗ୍ରସ୍ତ ରହୁଥିଲେ । କିନ୍ତୁ ପାରିବାରିକ ଅଶାନ୍ତି ହିଁ ଆତ୍ମହତ୍ୟାର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି । ପ୍ରାୟ ୧ ବର୍ଷ ତଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ସୋନପୁର ପୋଲିସ ଥାନା ଅଧିକାରୀ ଯାଦବ ବାଗଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ଅନିଲ ବେହେରା, ଏଏସଆଇ ରଞ୍ଜନ ନାଏକ, ମକରଧ୍ୱଜ ଦାଶ ଓ ପୋଲିସ ଟିମ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହି ଘଟଣା ପରେ ସୋନପୁର ତଥା ଘୋଡ଼ାଘାଟପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।