jayashree

ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ (ଏଆଇଏଲ୍‌ୟୁ) ଓଡ଼ିଶା ରାଜ୍ୟ କମିଟି ଡାକରାରେ ୟୁନିୟନ ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସ ପାଳନ ଅବସରରେ ଓଡ଼ିଶାରେ କାର୍ଯ୍ୟରତ ପ୍ରାୟ ଏକ ଲକ୍ଷ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ମାନଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଆଜି ୟୁନିୟନର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟରେ ଆଇନର ସେବା ଯୋଗାଇ ଦେବାରେ, ଜନସାଧାରଣଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଦିଗରେ, ଆଇନ୍ ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମାଜରେ ଦୃଢ଼ୀଭୂତ କରିବା ଦିଗରେ ଆଇନଜୀବୀମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ବେଳେ ରାଜ୍ୟ ସରକାର ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଘୋର ଅବହେଳା ପ୍ରଦର୍ଶନ କରୁଥିବାରୁ ୟୁନିୟନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ସରକାର ତୁରନ୍ତ ଆଇନଜୀବୀଙ୍କ ସମେତ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେବା, ୬୦ ବର୍ଷ ପରେ ବରିଷ୍ଠ ଆଇନଜୀବୀ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ ପ୍ରଦାନ, ବିଭିନ୍ନ ରାଜ୍ୟ ସରକାରମାନେ ଯୁବ ଆଇନଜୀବୀ ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର ମାସିକ ସର୍ବନିମ୍ନ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୁବ ଆଇନଜୀବୀ ମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବା, ପ୍ରତ୍ୟେକ ଆଇନଜୀବୀ ମାନଙ୍କୁ ମୃତ୍ୟୁ କାଳୀନ କ୍ଷତିପୂରଣ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବା, ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାର ମ୍ୟାଚିଙ୍ଗ ଗ୍ରାଣ୍ଟ ରାଶି ବୃଦ୍ଧି କରିବା ସହିତ ଅବସର କାଳୀନ ପ୍ରାପ୍ୟ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ପ୍ରଦାନ ସମେତ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ କରିବା ଦିଗରେ ତଡିତ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ, ସୁନ୍ଦରଗଡ଼ ଜିଲ୍ଲା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ, ସଂପାଦକ ରାଜ କିଶୋର ପ୍ରଧାନ, ଉପ ସଭାପତି ଚନ୍ଦ୍ରଭାନୁ ଦାସ, ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱବାଳ, ସହ ସଂପାଦକ ଶ୍ରୀକାନ୍ତ ସାହୁ, ନିହାର ରଞ୍ଜନ ସିଂହ, ପ୍ରମୋଦ କୁମାର ବାରିକ୍, ଗୁରୁ ଚରଣ ଖୁଣ୍ଟିଆ, କାର୍ଯ୍ୟକାରୀ କମିଟି ସଦସ୍ୟ ଧିରେନ୍ଦ୍ର ପ୍ରସାଦ ଦାସ, ମାନୁଏଲ ଡେଭିଡ ଲୁଗୁନ, କିରସନ କେରାଇ, ପ୍ରିୟଦର୍ଶିନୀ ବାରିକ୍, ରୁପେଶ ଲାଲ୍ ସଂଜୟ ବେହୁରା, ଜଗନ୍ନାଥ ଘାସି, ସନ୍ତୋଷ ଲେହେରୀ ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.