jayashree

ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ବ୍ଲକ୍‌ ଅଧିନସ୍ଥ ବିଭିନ୍ନ ଏସ୍‌ଏଚ୍‌ଜି, ସ୍କୁଲର ଛାତ୍ରଛାତ୍ରୀମାନେ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥି ସହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତିର କର୍ମଚାରୀ ଓ ସଦସ୍ୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ରଙ୍ଗୋଲି ପ୍ରତିଯୋଗିତା ସମାପ୍ତ ହେବା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବଲାଙ୍ଗିର ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତମ କୁମାର ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ବିଜୟ ଅର୍ଥରାଶି ଓ ଟ୍ରଫି ଦ୍ୱାରା ପୁରସ୍କୃତ କରିଥିଲେ । ରଙ୍ଗୋଲି ପ୍ରତିଯୋଗିତାରେ ସେଂଚୁରିଆନ୍‌ ବିଶ୍ୱବିଦ୍ୟାଳୟର ବିଏସ୍‌ସି ନର୍ସିଂର ଅଙ୍କିତ ପ୍ରଧାନ ଓ ଗ୍ରୁପ୍‌ ପ୍ରଥମ ସ୍ଥାନ ହାସଲ କରିଥିଲେ ଓ ପୁରସ୍କୃତ ହୋଇଥିଲେ । ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ସ୍କୁଲ୍‌ ଅଫ୍‌ ନର୍ସିଂ ସେଂଚୁରିଆନ୍‌ର ଜିଏନ୍‌ଏମ୍‌ର ସୁନନ୍ଦା ଓ ସାଥୀ । ତୃତୀୟ ସ୍ଥାନ ଅଧିକାର କରିଥିଲେ ଜୟ ବଜରଙ୍ଗୀ ଏସ୍‌ଏଚ୍‌ଜି, ଖୁଜେନପାଲିର ସଦସ୍ୟା ମାନେ । ସଭାରେ ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ସହକାରୀ ନିବନ୍ଧକ ଯାଜ୍ଞସେନି ସେଠୀ ଓ ଏସ୍‌ଏଆର୍‌ସିଏସ୍‌ ଅରୂପାନନ୍ଦ ପଣ୍ଡା ମଂଚାସୀନ ଥିଲେ । ଚୁଡ଼ାପାଲି ସମବାୟ ସମିତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପବନ୍ଧୁ ସାହୁ ମଂଚ ପରିଚାଳନା କରିଥିଲେ । ସଭାଶେଷରେ ସମସ୍ତଙ୍କୁ କୁଡ଼ାସିଂହା ସମବାୟ ସମିତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.