
ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଭିନ୍ନକ୍ଷମ ବର୍ଗଙ୍କ ପ୍ରତି ସମର୍ପିତ ଥିବା ଅନୁଷ୍ଠାନ ଶ୍ରଦ୍ଧା ଟିପିଡବ୍ଳୁଓଡିଏଲ (ଟାଟା ପାୱାର) ସହାୟତାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ସଚେତନତା ଦିବସ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ରାଉରକେଲାର ଶ୍ରଦ୍ଧା ଓ ସୁନ୍ଦରଗଡର ଏସ୍ଏସ୍ଇପିଡିର ମିଳିତ ଆନୁକୂଲ୍ୟରେ ଆୟୋଜିତ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସଂଯୋଜନା କରିଥିଲେ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏ ବର୍ଷର ବିଷୟ ବସ୍ତୁ (ଥିମ୍) ସ୍ୱକୀୟ ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର, ପ୍ରକୃତ ପରିବର୍ତ୍ତନ ଥିଲା । ମୁଖ୍ୟ ଅତିଥି ଭାବେ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ, ମାନସିକ ଭିନ୍ନକ୍ଷମଙ୍କୁ ସହାନୁଭୂତି ନୁହେଁ ବରଂ ସଦିଚ୍ଛା ରଖିବା ଦରକାର । ବୌଦ୍ଧିକ ବିକାଶର ଦୁର୍ବଳତା ପାଇଁ ୨୦୧୬ ଦିବ୍ୟାଙ୍ଗଙ୍କ ଅଧିକାର ଓ ଆଇନ ପ୍ରଣୟନ ହୋଇଛି । ଯେଉଁଥିରେ ମାନସିକ ଦୁର୍ବଳତାଯୁକ୍ତ ମାନଙ୍କ ପାଇଁ ଏବଂ ସେମାନଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଉନ୍ନତି ପାଇଁ ଯଥେଷ୍ଟ ସୁବିଧା ସୁଯୋଗ ରହିଛି, କିନ୍ତୁ ସେମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ । ମୁଖ୍ୟବକ୍ତା ଭାବେ ଆର୍ଜିଏଚ୍ର ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମନୋରଞ୍ଜନ ନାୟକ ଚିକିତ୍ସା ଭିତରେ ଥିବା ମାନସିକ ରୋଗୀମାନଙ୍କର ବିଭିନ୍ନ ସମସ୍ୟା ଅଥବା ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ବିଷୟରେ ପରାମର୍ଶ ଦେଇଥିଲେ । ସ୍ତମ୍ଭକାର ଗଗନ ବିହାରୀ ଧଳ ଓ ଦିବ୍ୟ ଜୀବନ ସଂଘର ରବିନ୍ଦ୍ର କୁମାର ପାଣ୍ଡବ ମତବ୍ୟକ୍ତ କରିଥିଲେ ଯେ, ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ଆମ୍ଭମାନଙ୍କୁ ଆତ୍ମିୟତା ଓ ସାମାଜିକ ପ୍ରତିବଦ୍ଧତା ରଖିବା ଦରକାର । ଏଥିପାଇଁ ଆବଶ୍ୟକ ସ୍ଥଳେ ଟେଲି ମାନସ ନମ୍ବର ୧୪୪୧୬ରେ ପରାମର୍ଶ କରିବା ପାଇଁ ସୂଚନା ଦିଆଯାଇଥିଲା । ଏହି ଅବସରରେ ଅଭିଭାବକ ସନ୍ତୋଷ ସାହୁ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ଶେଷରେ ସମ୍ପାଦକ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଜାତା ସାମଲ, ଅର୍ଚ୍ଚନା ମିଞ୍ଜ, ସୌଦାମିନୀ ପଟ୍ଟନାୟକ, ଚନ୍ଦ୍ରିକା ପାଣ୍ଡବ, ଅଞ୍ଜଳି ମହାରଣା, ସୁକୁମାର ପାଣ୍ଡବ, ଧୀରେନ୍ ଓଝା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।