
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ମହାଳୟା ଅମାବାସ୍ୟା ଅବସରରେ ଅଷ୍ଟଚଣ୍ଡୀଙ୍କ ପୀଠ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀ ଓ ଭଗବତୀ ଭକ୍ତମାନଙ୍କୁ ଦୁର୍ଲଭ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ବର୍ଷର ଅନ୍ୟ ଦିନମାନଙ୍କରେ ଲାଲବର୍ଣ୍ଣୀ ମୁଖମଣ୍ଡଳରେ ଦର୍ଶନ ଦେଉଥିବା ମା’ ଏହି ବିଶେଷ ଦିନରେ ଶ୍ୱେତବର୍ଣ୍ଣୀ ବେଶରେ ସଜ୍ଜିତ ହୋଇଥାନ୍ତି । ଜନବିଶ୍ୱାସ ଅନୁଯାୟୀ, ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଗଙ୍ଗାସ୍ନାନ ଓ ତୀର୍ଥଦର୍ଶନ ସମତୁଲ । ପୁଣି ପିତୃପକ୍ଷର ଶେଷ ଦିନ ମହାଳୟାରେ ପିତୃପୁରୁଷଙ୍କୁ ଜଳ ଦେଇ ମା’ଙ୍କ ଧବଳମୁଖୀ ଦର୍ଶନ କଲେ ପୂର୍ବଜଙ୍କୁ ଶାନ୍ତି ମିଳେ ବୋଲି ମାନ୍ୟତା ରହିଛି । ଭକ୍ତମାନେ ଏହାକୁ ପାପମୋଚନ, ଆତ୍ମିକ ଶାନ୍ତି ଓ ମନୋକାମନା ପୂରଣର ପବିତ୍ର ଅବସର ଭାବେ ଗ୍ରହଣ କରିଥାନ୍ତି । ମହାଳୟା ଅବସରରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ଭିଡ଼ରେ ସମଗ୍ର ସହର ଭକ୍ତିମୟ ହୋଇଉଠିଛି । ଏହି ପବିତ୍ର ଅବସରରେ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ, ମା’ ମାଣିକେଶ୍ୱରୀ, ମା’ ଭୁବନେଶ୍ୱରୀ, ମା’ ଦୁର୍ଗାଦେବୀ ଓ ମା ମହାକାଳୀ ମଧ୍ୟ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ବିଭିନ୍ନ ଦେବୀପୀଠରେ ଏହି ବିରଳ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଛି । ସୁରେଶ୍ଵରୀଙ୍କ ମନ୍ଦିର ପରିସରରେ ଷୋଳପୂଜା ଦିନଠାରୁ ଯଜ୍ଞାନୁଷ୍ଠାନ ଅନୁଷ୍ଠିତ ହେଉଛି । ଏହି ସମସ୍ତ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ବିଭିନ୍ନ ଦେବୀ ପୀଠରେ ଶ୍ରଦ୍ଧାଳୁ ବିଶେଷ ସମାଗମ ହେତୁ ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।