
- ୮୨ ଗ୍ରାମରୁ ୫,୫୦୦ରୁ ଅଧିକ ପରିବାର ସଦସ୍ୟଙ୍କ ଯୋଗଦାନ
ମ. ରାମପୁର, (ପି. କେ. ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାପଲହରା ଗ୍ରାମରେ ତୈଳିକ ହଳଦିଆ ସାହୁ ସମାଜର ଡାଙ୍ଗବଂଶ ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଭେଟଘାଟ ପରିଚାଳନା କମିଟି ସଭାପତି ଖୁସିରାମ ସାହୁଙ୍କ ସଭାପତିତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାପଲହରା ଗ୍ରାମର ଇଷ୍ଟଦେବୀ ମା’ ଧରଣୀ ଦେବୀଙ୍କ ପୀଠରୁ ଏକ ମଶାଲ ଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିଥିଲା । ପରେ ଡାଙ୍ଗବଂଶ ପରିବାରର ପରମ୍ପରା ଓ ରୀତିନୀତି ଅନୁଯାୟୀ ମା’ ଶିବଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇ ନୂଆଁଖାଇ ପର୍ବର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ନୀଳମଣି ସାହୁ, କୋଦଣ୍ଡ ସାହୁ, ଜିତେନ୍ଦ୍ର ସାହୁ, ଉମାଶଙ୍କର ସାହୁ, ଠାକୁର ସାହୁ, ଗିରିଧାରୀ ସାହୁ (ଧର୍ମଗଡ଼), କୁବେର ସାହୁ, ଫକୀର ସାହୁ, ଗୁଣନିଧି ସାହୁ (ସିଲେଟପଡ଼ା, ବଲାଙ୍ଗିର), ସମୀର ସାହୁ ଓ ଧନୁଞ୍ଜୟ ସାହୁଙ୍କ ସମେତ ବହୁ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇ ଉପଢୌକନ ପ୍ରଦାନ ସହ ସ୍ୱାଗତ ଓ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ପାଦକ ଯୁଗଲାଲ ସାହୁ ଓ କୋଷାଧ୍ୟକ୍ଷ ଅବନୀ ସାହୁ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ଉଜ୍ଜ୍ୱଳ କୁମାର ସାହୁ ଓ ଦୁର୍ଗା ପ୍ରସାଦ ସାହୁ କରିଥିବାବେଳେ ଅବନୀ ସାହୁ, ଲକ୍ଷ୍ମୀ ସାହୁ, ପ୍ରକାଶ ସାହୁ, ରମେଶ ସାହୁ, ସୁରେନ୍ଦ୍ର ସାହୁ, ବସନ୍ତ ସାହୁ, ଭୈରବ ସାହୁ ଓ ଖଗେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦୁର୍ଗା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସାପଲହରା ବାଣୀଶ୍ରୀ କଳା ନିକେତନ ପକ୍ଷରୁ ବାଦ୍ୟଯନ୍ତ୍ର ପରିବେଷଣ ସହ ବିଭିନ୍ନ ଗ୍ରାମରୁ ଆସିଥିବା ଦଳମାନଙ୍କ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ କରାଯାଇଥିଲା । ଡାଙ୍ଗବଂଶ ପରିବାରର ୮୨ ଖଣ୍ଡ ଗ୍ରାମରୁ ପ୍ରାୟ ୫,୫୦୦ରୁ ଅଧିକ ବୃଦ୍ଧ, ପୁରୁଷ ଓ ମହିଳା ଏହି ଭେଟଘାଟରେ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତେ ଏକତ୍ରିତ ହୋଇ ପରସ୍ପରକୁ ନୂଆଁଖାଇ ଜୁହାର, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।। ନୂଆଁଖାଇ ଭେଟଘାଟ ମାଧ୍ୟମରେ ଡାଙ୍ଗବଂଶୀୟ ପରିବାରଗୁଡ଼ିକ ମଧ୍ୟରେ ଭାଇଚାରା, ସାମାଜିକ ଏକତା ଓ ପରସ୍ପର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏହି ଏକତା ଓ ଭାଇଚାରାକୁ ଆହୁରି ମଜବୁତ କରିବା ନେଇ ବାଳଭୁଜ ସାହୁ, ଭାସ୍କର ସାହୁ, ବିଭୀଷଣ ସାହୁ, ଡମ୍ବ ବୁଡ଼ା ସାହୁ, ରାଜ ସାହୁ ଓ ସୁରେନ୍ଦ୍ର ସାହୁ (ଟେଣ୍ଟ ହାଉସ) ପ୍ରମୁଖ ମତ ପ୍ରକାଶ କରିଥିଲେ । ସଭାପତି ଖୁସିରାମ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଅକ୍ଲାନ୍ତ ପରିଶ୍ରମ କରି ୮୨ ଗ୍ରାମର ଡାଙ୍ଗବଂଶ ପରିବାରକୁ ଏକତ୍ରିତ କରି ଏଭଳି ବୃହତ୍ ନୂଆଁଖାଇ ଭେଟଘାଟ ଆୟୋଜନ କରିଥିବାରୁ ଉପସ୍ଥିତ ସଦସ୍ୟମାନେ ସେମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।