jayashree

ବନ୍ୟା ପରିସ୍ଥିତି ଟଳିଲା : କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବୀ

  • ପଞ୍ଚାନବେ ପ୍ରତିଶତରେ ଇନ୍ଦ୍ରାବତୀ ଜଳଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : ହାତୀ ଓ ତେଲନଦୀ ଅବବାହିକାରେ ବନ୍ୟା ପ୍ରଳୟ ଆଣିଦେଇଥିବା ବେଳେ ଏବେ ସ୍ଥିତି ଶାନ୍ତ ହେବାରେ ଲାଗିଲାଣି । ଶହ ଶହ ଏକର ଚାଷ ଜମି କ୍ଷତି ସହିଥିବା ବେଳେ ଏବେ ରୋଗ ପୋକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଅନେକ ଅପହଞ୍ଚ ଇଲାକା ମାନଙ୍କରେ ଗମନା ଗମନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ବନ୍ୟା କୁ ନେଇ ଲୋକଙ୍କ ମଧ୍ୟରେ ଅନେକ କଳ୍ପନା କଳ୍ପନା ଚାଲିଥିଲେ ହେଁ ଏଭଳି ବନ୍ୟା ବିଭୀଷିକା ଅନେକ ଦିନ ପରେ ଲୋକେ ଅନୁଭବ କରିଥିବା ଆଲୋଚନା ହେଉଛି । ଅନେକ ଦିନ ଧରି ଆଶଙ୍କା ମଧ୍ୟରେ ରହି ଆସିଥିବା ଇନ୍ଦ୍ରାବତୀ ଜଳଭଣ୍ଡାର କେତୋଟି ଲଘୁଚାପ ଜନିତ ବର୍ଷାରେ ଆଶା ଜନକ ସ୍ଥିତିକୁ ପହଞ୍ଚିଥିଲା । ଗତ ୨୧ତାରିଖ ଦିନ ଜଳଭଣ୍ଡାର । ୬୪୦.୨୮ ମିଟରକୁ ଛୁଇଁବା ପରେ ଅପରାହ୍ନରେ ଗୋଟିଏ ଗେଟ ଖୋଲି ୭୨ ଘନମିଟର ଇନ୍ଦ୍ରାବତୀ ନଦୀ ଗର୍ଭକୁ ବନ୍ୟା ପାଣି ଛଡ଼ାଗଲା । ସାତ ବର୍ଷ ପରେ ପାଣି ଛଡ଼ା ଯାଇଥିବାରୁ ଲୋକଙ୍କ ପାଇଁ ସେହି ଦୃଶ୍ୟ ଉପଭୋଗ୍ୟ ପାଲଟିଥିଲା । ଅନ୍ୟପଟେ ମୁଖିଗୁଡା ଶକ୍ତି ଗୃହରୁ ମଧ୍ୟ କ୍ରମାଗତ ଭାବରେ ଆସନ୍ନ ଲଘୁଚାପ ଜନିତ ବର୍ଷାର ମୁକାବିଲା କରିବା ପାଇଁ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଜାରି କରି ଦିଆଗଲା । ଗତ ୨୫ ତାରିଖ ଦିନ ଜଳ ପତ୍ତନ ସର୍ବୋଚ୍ଚ ସୀମା ୬୪୨ ମିଟରକୁ ଛୁଇଁବାର ପାଖାପାଖି ହେବାପରେ ଅନନ୍ୟ ଉପାୟ ନ ଦେଖି ଏକ ସାଙ୍ଗରେ ପାଞ୍ଚଟି ଗେଟ୍ ଖୋଲି ଇନ୍ଦ୍ରାବତୀ ନଦୀ ଗର୍ଭକୁ ୧୧୦୦ କୁମେକ୍ସ ବନ୍ୟା ଜଳ ଛାଡ଼ି ଦେବା ଫଳରେ ଏକ ଅହେତୁକ ବନ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ସେହିପରି ଇନ୍ଦ୍ରାବତୀ ସାଙ୍ଗକୁ ହାତୀନଦୀରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟା ଦେଖିବାକୁ ମିଳିଲା । ବନ୍ୟା ସ୍ଥିତି ଅପସରି ଯାଇଥିଲେ ମଧ୍ୟ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟକୁ ୪୪୬ କୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ଶକ୍ତି ଗୃହକୁ ୨୦୦ କୁମେକ୍ସ ଜଳ ଛାଡ଼ି ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଉଥିବା ସୁଚନା ମିଳିଛି । ଏବେ ହାତୀନଦୀ ସମେତ ଜୟପାଟଣା ଅଞ୍ଚଳର ପାରିପାର୍ଶ୍ବିକ ନଦୀ ମାନଙ୍କର ସ୍ଥିତିରେ ଅନେକ ପରିବର୍ତନ ଆସିଥିବା ବେଳେ କୃଷି, ଗମନା ଗମନ, ଆବାସ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରଶାସନିକ ସହାୟତା ଆବଶ୍ୟକ ବୋଲି ଦାବୀ ହେଉଛି । ପରବର୍ତ୍ତୀ ସମୟରେ ବନ୍ୟା ପରିସ୍ଥିତିକୁ ନେଇ ଉତ୍ପନ୍ନ ହେଉଥିବା ପରିଚାଳନାଗତ ତୃଟିକୁ ସୁଧାରିବା ପାଇଁ ପ୍ରଶାସନ କ୍ଷେତ୍ରରେ ସମନ୍ୱୟ ଓ ପରସ୍ପର ସହଯୋଗର ଆବଶ୍ୟକତା ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.