jayashree

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

  • ସଂଗ୍ରହାଳୟରେ ସାଇତା ରହିଛି ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ବିପ୍ଳବ ଓ ବଳିଦାନର ସ୍ମୃତି

ନୂଆଦିଲ୍ଲୀ, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସମ୍ପ୍ରତି ଛତିଶଗଡ଼ ଗସ୍ତରେ ଅଛି । ଏହି ପ୍ରତିନିଧି ଦଳ ନୱାରାୟପୁର ସ୍ଥିତ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛି । ଛତିଶଗଡ଼ର ଏହି ଗସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିବାର ସୁଯୋଗ ଦେଇଛି ।
ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ଗଣମାଧ୍ୟମ ପ୍ରତିନିଧିମାନେ ଶହୀଦ ବୀର ନାରାୟଣ ସିଂ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ସଂଗ୍ରହାଳୟରେ ଥିବା ୧୬ଟି ଗ୍ୟାଲେରୀରେ ସ୍ଥାପିତ ମୂର୍ତ୍ତି, ଡିଜିଟାଲ ଭାବେ ସାଇତା ରହିଥିବା ସ୍ମୃତିଚିହ୍ନ, ଐତିହାସିକ କାହାଣୀ ଏବଂ ଇଣ୍ଟରଆକ୍ଟିଭ୍ ଡିସପ୍ଲେ ଜରିଆରେ ପ୍ରଦର୍ଶିତ ସାହସ ଓ ବଳିଦାନର କାହାଣୀ ବିଷୟରେ ଜାଣି ଗଣମାଧ୍ୟମ ପ୍ରତିନିଧିମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ଏସବୁ ପ୍ରଦର୍ଶନୀରେ ବିଦେଶୀ ଶାସକଙ୍କ ଶୋଷଣ, ଦମନଲୀଳା ଏବଂ ଅତ୍ୟାଚାର ବିରୋଧରେ ଆଦିବାସୀ ସମ୍ପ୍ରଦାୟର ଦୁର୍ବାର ସଂଘର୍ଷ ପ୍ରଦର୍ଶିତ ହୋଇଛି । ଏଠାରେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ସେହି ଦୃଢ଼ ସଂକଳ୍ପ ପ୍ରଦର୍ଶିତ ହୋଇଛି ଯାହା ବଳରେ ସେମାନେ ନିଜ ଜମି, ସଂସ୍କୃତି ଏବଂ ସମ୍ମାନର ରକ୍ଷା କରିଛନ୍ତି ।
ଏହି ସଂଗ୍ରହାଳୟରେ ହାଲବା କ୍ରାନ୍ତି, ସରଗୁଜା କ୍ରାନ୍ତି, ପାରାଲକୋଟ କ୍ରାନ୍ତି, ଭୋପାଳପଟ୍ଟନମ୍ କ୍ରାନ୍ତି, ମୁରିଆ କ୍ରାନ୍ତି ଏବଂ ଭୂମକାଲ କ୍ରାନ୍ତି ସମେତ ଅନେକ ପ୍ରମୁଖ ଆଦିବାସୀ ଆନ୍ଦୋଳନର ଇତିହାସ ପ୍ରଦର୍ଶିତ ହୋଇଛି । ଛତିଶଗଡ଼ର ଜଣେ ପ୍ରମୁଖ ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୀର ନାରାୟଣ ସିଂହଙ୍କ ଜୀବନୀ ଓ ବଳିଦାନ ମଧ୍ୟ ଏହି ସଂଗ୍ରହାଳୟର ବିଷୟବସ୍ତୁରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି।
ଗଣମାଧ୍ୟମ ପ୍ରତିନିଧି ଦଳ ସଂଗ୍ରହାଳୟ ପରିଦର୍ଶନ କରିବା ସମୟରେ ଝଣ୍ଡା ସତ୍ୟାଗ୍ରହ ଏବଂ ଜଙ୍ଗଲ ସତ୍ୟାଗ୍ରହ ସମେତ ବ୍ୟାପକ ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ଅଂଶଗ୍ରହଣ ବିଷୟରେ ଜାଣିବାକୁ ପାଇଥିଲେ ।ଏହିସବୁ ସତ୍ୟାଗ୍ରହ ଉପନିବେଶବାଦୀ ଶାସନ ବିରୋଧରେ ହୋଇଥିବା ବିପ୍ଳବରେ ଆଦିବାସୀଙ୍କର ସକ୍ରିୟ ଭୂମିକାକୁ ପ୍ରତିଫଳିତ ହୋଇଥିଲା ।
ଟିଆରଟିଆଇର ସହକାରୀ ନିର୍ଦ୍ଦେଶକ ଡକ୍ଟର ଅନିଲ୍ ବିରୁଲକର ଏହି ପରିଦର୍ଶନ ସମୟରେ ମାର୍ଗଦର୍ଶନ କରିଥିଲେ ।ସେ ସାମ୍ବାଦିକମାନଙ୍କୁ ପ୍ରଦର୍ଶିତ ସାମଗ୍ରୀ, ଐତିହାସିକ ଘଟଣାବଳୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଐତିହ୍ୟକୁ ସଂରକ୍ଷଣ କରିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।
ଏହି ପରିଦର୍ଶନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପାରମ୍ପାରିକ ଧାରଣା ବାହାରକୁ ଯାଇ ଛତିଶଗଡ଼ର ଆଦିବାସୀ ସଂସ୍କୃତି ଓ ଐତିହ୍ୟ, ସେମାନଙ୍କବିପ୍ଳବର ଇତିହାସ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିବାର ସୁଯୋଗ ପ୍ରଦାନ କରିଥିଲା ।

Leave A Reply

Your email address will not be published.