
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜ୍ଞାନର ଆଲୋକକୁ ସନ୍ଧାନ କରିବା ପାଇଁ ପାଠ ପଢ଼ିବା ସହିତ ନିଜକୁ ଦୀପଶିଖା ଭାବେ ଜାଳିବାକୁ ହେବ । ଆଦର୍ଶ ବିଦ୍ୟାଳୟର ଆଦର୍ଶ ବିଦ୍ୟାର୍ଥୀ ଭାବେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢି ତୋଳିବାକୁ ଲୋଇସିଂହା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସ ସମାରୋହ “ସ୍ପାର୍କ” -୨୦୨୬ ଅବସରରେ ଉପସ୍ଥିତ ଅତିଥି ଗଣ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ଜ୍ୟୋତିର୍ମୟୀ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପ ଜିଲ୍ଲାପାଳ ଆଲୋକ ପଟେଲ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ “କୋଶଳ ପ୍ରବାହ”ର ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ତଥା ଶିକ୍ଷାବିତ୍ କାହ୍ନୁ ଚରଣ ଦର୍ଜୀ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯିବା ପରେ ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ ଠେଲା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁଶାନ୍ତ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ. ଶ୍ରୀମତୀ ପଧାନ ସ୍ୱାଗତ ଭାଷଣ ତଥା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଶିକ୍ଷାଦାନ ସକାଶେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିକ୍ଷକ ସୁଶାନ୍ତ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।