
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସବୁଠାରୁ ପୁରୁଣା ଓ ଖ୍ୟାତି ଅର୍ଜନ କରିଥିବା ମହାବିଦ୍ୟାଳୟ ଭିତରୁ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ସେପ୍ଟେମ୍ବର ୯ ତାରିଖ ହେଉଛି ଏହି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ । ଏହି ଦିବସକୁ ଅତି ଆଡ଼ମ୍ବର ସହିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ମୁଖ୍ୟ ବକ୍ତା ଭାବେ ନିହାର ରଞ୍ଜନ ଦାସ ଯୋଗ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଉନ୍ନତି ପାଇଁ ପ୍ରାୟ ୧୫ କୋଟି ଟଙ୍କାର ଅନୁଦାନ ଆଣିବାରେ ବିଧାୟକ ନବୀନ ଜୈନଙ୍କ ଉଦ୍ୟମ ପାଇଁ ଅଧ୍ୟକ୍ଷ ପ୍ରଶଂସା କରିଥିଲେ । ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆମ ଦେଶ ଓ ରାଜ୍ୟର ଭବିଷ୍ୟତ । ତେଣୁ ଶିକ୍ଷାକୁ ପ୍ରାଥମିକ ଲକ୍ଷ୍ୟ ଭାବେ ଗ୍ରହଣ କରି ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଆମ ସରକାର ଯେଉଁ ପ୍ରୟାସ କରୁଛନ୍ତି, ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରୁଛି । ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ । ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ସରକାର ଯେଉଁ ଦୂରଦୃଷ୍ଟିର ପରିଚୟ ଦେଇଛନ୍ତି, ତାହା ନିଶ୍ଚିତ ଭାବରେ ଟିଟିଲାଗଡ଼ର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଶିକ୍ଷାର ବିକାଶ ହେଉଛି ସମାଜର ବିକାଶ, ଯୁବପିଢ଼ିର ସଶକ୍ତିକରଣ ହେଉଛି ଆମ ଭବିଷ୍ୟତର ମୂଳ ଆଧାର ବୋଲି ବିଧାୟକ ନବୀନ ଜୈନ କହିଥିଲେ । ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଦିବସକୁ ପରିଚାଳନା କରିବାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।
