
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ଥିତ ବିକାଶ ଆବାସିକ କଲେଜ ପରିସରରେ ୧୬୫ତମ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀ ଆଲିଶା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଉତ୍ସବରେ ଉପସ୍ଥିତ ଅତିଥିମାନେ ଆଲିଶାଙ୍କ ଚିତ୍ରକଳା ପ୍ରତିଭା ଓ ସୃଜନଶୀଳତାର ପ୍ରଶଂସା କରିବା ସହ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ ତାଙ୍କର କଳା ପ୍ରତିଭାର ଉତ୍କୃଷ୍ଟ ପରିଚୟ ବୋଲି ଶିକ୍ଷକମାନେ ମତ ପ୍ରକାଶ କରିଥିଲେ । ଆଲିଶା ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଅଧ୍ୟୟନରତ । ପିଲାଦିନରୁ ଚିତ୍ରକଳା ପ୍ରତି ତାଙ୍କର ଗଭୀର ଆଗ୍ରହ ରହିଛି । ବିଭିନ୍ନ ବିଷୟକୁ ନିଜ କଳ୍ପନା ଓ ସୃଜନଶୀଳତା ମାଧ୍ୟମରେ ଚିତ୍ରରେ ପ୍ରକାଶ କରି ସେ ପୂର୍ବରୁ ମଧ୍ୟ ପ୍ରଶଂସା ସାଉଁଟିଛନ୍ତି । ଆଗାମୀ ଦିନରେ ଚିତ୍ରକଳା କ୍ଷେତ୍ରରେ ଅଧିକ ପ୍ରଶିକ୍ଷଣ ନେଇ ନିଜ ପ୍ରତିଭାର ବିକାଶ କରିବାକୁ ସେ ଆଶାବାଦୀ । ଆଲିଶା ପାଇକମାଲ ବ୍ଲକ ଜାମସେଠ ଗ୍ରାମର ସମାଜସେବୀ ହେମନ୍ତ ପ୍ରଧାନ ଓ ଗୋପେଶ୍ୱରୀ ପ୍ରଧାନଙ୍କ ଝିଅ ଅଟନ୍ତି । ତାଙ୍କ ସଫଳତା ପାଇଁ କ୍ରିଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ଚେୟାରମେନ ଡି. ମୁରଲୀ କ୍ରିଷ୍ଣା, ଡାଇରେକ୍ଟର ଡ. ସମରେନ୍ଦ୍ର ନାଥ ପଣ୍ଡାଙ୍କ ସମେତ ବିଦ୍ୟାଳୟର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଶିକ୍ଷକ ତଥା ପାଇକମାଲ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।