
ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ, ଅର୍ଥାଭାବ ଏବେ ତାଙ୍କ ଡାକ୍ତରୀ ପାଠପଢ଼ାରେ ବଡ଼ ବାଧକ ସାଜିଛି । କବିତା ନିଜ ଶିକ୍ଷା ଗାଁ ବିଦ୍ୟାଳୟରୁ ଆରମ୍ଭ କରି ଭାଲେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମରେ ୯୦ ପ୍ରତିଶତ ନମ୍ବର ରଖି ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱରକୁ ମନୋନୀତ ହୋଇଥିଲେ । କବିତା ଓଡ଼ିଶା ରାଜ୍ୟ ରେଙ୍କ ୪୧୭୮ ଓ ଏସ୍ଟି ୧୩୭ ରେଙ୍କରେ ଉତ୍ତୀର୍ଣ୍ଣ ହୋଇ କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଡ଼ିବା ପାଇଁ ମନୋନୀତ ହୋଇଛନ୍ତି । ଅନ୍ୟପଟେ ରାୟଗଡା ଜିଲ୍ଲାର ପୂର୍ବତନ ସଭାପତି ସୁଧୀର ଦାସ ଏଇ ଆଦିବାସୀ ଝିଅର ସଫଳତାକୁ ଆହୁରି ମଜବୁତ କରିବା ଦିଗରେ ପରିବାରକୁ ଭେଟି ଶିକ୍ଷା ପାଇଁ ପ୍ରତିବର୍ଷ ୫୦୦୦୦ ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।