
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧୀନ ଡଙ୍ଗାମରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ପରେ ଜଣେ ଯୁବକଙ୍କ ଗୋଡ଼ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଡଙ୍ଗାମରା ଗାଁର ବଳଦେବ ବନଛୋର । ଘଟଣା ପରେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିରକୁ ରେଫର କରାଯାଇଥିଲା । ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାୟପୁର ମେଡିକାଲକୁ ନିଆଯାଉଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବଳଦେବ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଝଗଡ଼ା ହୋଇଥିଲା । ଏହି ପୁରୁଣା ବିବାଦକୁ ନେଇ ପୁଣିଥରେ ବଚସା ହେବା ପରେ ଘଟଣାଟି ଘଟିଥିବା କୁହାଯାଉଛି । ଘଟଣା ପରେ ଡଙ୍ଗାମରା ଗାଁରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ନଜରରେ ରଖି କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଛି । ଏପଟେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।