
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ମଦନ ଦୀପଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାର ପରେ ଗାଇସିଲେଟ ସମେତ ସମଗ୍ର ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମଦନ ଦୀପ ଜଣେ ଦକ୍ଷ ସୁସଂଗଠକ ଭାବେ ଦଳ ଓ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ । ବିଜେପିର ସଂଗଠନକୁ ମଜବୁତ କରିବା ସହ ଦଳର ଉନ୍ନତି ପାଇଁ ସେ ସବୁବେଳେ ସକ୍ରିୟ ରହୁଥିଲେ । ତାଙ୍କର ସରଳ ବ୍ୟବହାର, ସାଂଗଠନିକ ଦକ୍ଷତା ଓ ଲୋକଙ୍କ ସହ ନିବିଡ଼ ସମ୍ପର୍କ ଯୋଗୁଁ ସେ ସମସ୍ତଙ୍କ ନିକଟରେ ଲୋକପ୍ରିୟ ଥିଲେ । ତାଙ୍କ ବିୟୋଗ କେବଳ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ନୁହେଁ, ବରଂ ଦଳମତ ନିର୍ବିଶେଷରେ ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି । ମଦନ ଦୀପଙ୍କ ନିଧନରେ ବରଗଡ଼ ଜିଲ୍ଲାର ସାଂସଦ, ବିଧାୟକମାନେ, ବିଜେପି ଜିଲ୍ଲା ସଂଗଠନର ବିଭିନ୍ନ ନେତା ଓ କର୍ମକର୍ତ୍ତାଙ୍କ ସହ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଦେହାନ୍ତରେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି ।