
ବ୍ରହ୍ମପୁର, (କେପିଏନ୍ଏସ୍) : ଧାନ ବିକ୍ରି ପଞ୍ଜିକରଣ ପାଇଁ ଭାଗଚାଷୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି ସରକାର । ଗତବର୍ଷ ଜମି ପଞ୍ଜିକରଣ ବେଳେ ଯେଉଁ ଜମି ମାଲିକମାନେ ଅନୁମତି ପତ୍ର ଦାଖଲ କରି ଭାଗଚାଷୀ ପଞ୍ଜିକୃତ ହେଉଥିଲେ ଚଳିତ ବର୍ଷ ସେ ଅଧିକାରରୁ ଭାଗଚାଷୀ ବଂଚିତ ହୋଇଛନ୍ତି । ଅପରପକ୍ଷରେ ସାନଖେମୁଣ୍ଡି ବ୍ଲକ ସେଟଲମେଣ୍ଟ କାର୍ଯ୍ୟ ଦୀର୍ଘ ଚାରି ଦଶନ୍ଧି ଧରି ସମ୍ପୂର୍ଣ୍ଣ ହୋଇନଥିବାରୁ ପଟ୍ଟାଧାରୀ ଚାଷୀମାନେ ମଧ୍ୟ ଧାନ ବିକ୍ରି କରିପାରୁନାହାନ୍ତି ଏବଂ ଏଥିପାଇଁ ସରକାରଙ୍କ ଅସ୍ପଷ୍ଟ ଧାନ କିଣା ନୀତି ଦାୟୀ ବୋଲି କଙ୍କୋରଡ଼ା ଠାରେ ଆୟୋଜିତ ଚାଷୀ ସମାବେଶରେ ବକ୍ତାମାନେ ପ୍ରକାଶ କରିଛନ୍ତି । ଧାନ କିଣା ସମ୍ପର୍କରେ କୌଣସି ସ୍ପଷ୍ଟ ନୀତି ନଥିବାରୁ ପଞ୍ଜିକରଣ ଆବେଦନ ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯାଉ, ଧାନ କିଣା ବେଳେ କଟନି ଛଟନି ବନ୍ଦ କରିବା, ଧାନ କିଣାରେ ଛୋଟ ଚାଷୀ ଓ ଭାଗ ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଉ, ପ୍ରତି ପଞ୍ଚାୟତରେ ଧାନ କିଣା ବେଳେ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା କରାଯାଉ । ସାର କଳାବଜାରୀ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ଇତ୍ୟାଦି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କଙ୍କୋରଡ଼ା ସରପଞ୍ଚ ମିନତୀ ସେଠୀଙ୍କ ଆହ୍ୱାନକ୍ରମେ ଆୟୋଜିତ ଚାଷୀ ସମାବେଶରେ ଜିଲା ପରିଷଦ ୬୨ ଜୋନର ବିଭିନ୍ନ ପଞ୍ଚାୟତରୁ ୨୦୦ ଚାଷୀ ଯୋଗ ଦେଇଥିଲେ । ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ବରିଷ୍ଠ ଚାଷୀ ନେତା ବିଜୟ କୁମାର ସ୍ୱାଇଁ, ସମାଜସେବୀ ଅଶୋକ କୁମାର ଦଳେଇ, ମିଥୁନ ସେଠୀ, ସୁନୀଲ ନାୟକ, ଅଜୟ ପାଣିଗ୍ରାହୀ, ଡମ୍ବରୁଧର ମହାଙ୍କୁଡ଼, ସନ୍ତୋଷ ଦଳାଇ, ରାଜୁ ନାୟକ, ହଂସ ପ୍ରଧାନ, ସଂଜୟ ମହାନ୍ତି, ବିପ୍ର ବାଡ଼ତ୍ୟା, ଲୋକନାଥ ବିଷୋୟୀ, ମନୋଜ ଜେନା, ରଘୁନାଥ ସାହୁ, ଘନଶ୍ୟାମ, ତୋଫାନ ପଢ଼ିହାରୀ ପ୍ରମୁଖ ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କୁହାଯାଇଥିଲା ।