
ବରଗଡ଼, (ନିରୋଜ କୁମାର ପାଣୀ) : ଏନ୍ଟିପିସିର କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (ସିଏସ୍ଆର) ପାଣ୍ଠିରୁ ବରଗଡ଼ ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ସୌର ଶକ୍ତି ମାଧ୍ୟମରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ୫୦ଟି ହାଇସ୍କୁଲରେ ମୋଟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ କିଲୋୱାଟ୍ କ୍ଷମତା ସମ୍ପନ୍ନ ଅଫ୍-ଗ୍ରିଡ୍ ସୋଲାର ସିଷ୍ଟମ୍ ସ୍ଥାପନ କରାଯାଇଛି । ଏହି କ୍ରମରେ ବରଗଡ଼ ସହର ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସୌର ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ, ଏଡିଏମ୍ ବରଗଡ଼ ମଧୁଛନ୍ଦା ସାହୁ, ଏନ୍ଟିପିସିର ଅଧିକାରୀମାନେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ୫ କିଲୋୱାଟ୍ ଅଫ୍-ଗ୍ରିଡ୍ ସୋଲାର ସିଷ୍ଟମ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ବିଦ୍ୟୁତ୍ ଯୋଗାଣରେ ସହାୟତା ମିଳିବ । ବିଶେଷ କରି ବିଦ୍ୟୁତ୍ ବିଭ୍ରାଟ ସମୟରେ ଶିକ୍ଷାଦାନ ଓ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକଳାପ ଅବ୍ୟାହତ ରଖିବାରେ ଏହା ଉପଯୋଗୀ ହେବ । ଏହା ସହିତ ବିଦ୍ୟୁତ୍ ଖର୍ଚ୍ଚ କମାଇବା ସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଏହି ପ୍ରକଳ୍ପ ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ପାଇଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌର ଶକ୍ତି ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ମଧ୍ୟ ବୃଦ୍ଧି ପାଇବ । ଏନ୍ଟିପିସିର ସିଏସ୍ଆର ପାଣ୍ଠିରେ ଜିଲ୍ଲାର ୫୦ଟି ହାଇସ୍କୁଲରେ ଏଭଳି ସୌର ବ୍ୟବସ୍ଥା ସ୍ଥାପନ ହେବାକୁ ଶିକ୍ଷା ଓ ସବୁଜ ଶକ୍ତି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି ।