
- ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡାହେଲା ପ୍ରଥମ ବନ୍ୟା ଜଳ
- ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥବାରୁ ଜନ ଜୀବନ ପ୍ରଭାବିତ ହୋଇଛି । ରବିବାର ସକାଳ ଶୁଦ୍ଧା ଜିଲ୍ଲାରେ ୧୦୨୩. ୧ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାର ଥୁଆମୂଳ ରାମପୁରରେ ସର୍ବାଧିକ ୩୪୫ ମି.ମି. ବର୍ଷା ହୋଇଥିବାବେଳେ କେସିଙ୍ଗାରେ ସର୍ବନିମ୍ନ ୩. ୪ ମି. ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେଭଳି ଜୟପାଟଣାରେ ୨୦୦ ମି. ମି., କଲମପୁରରେ ୧୪୬. ୪, କୋକସରାରେ ୧୦୨, ଜୁନାଗଡ଼ରେ ୧୦୫. ୩, ଧର୍ମଗଡ଼ରେ ୪୦. ୩, ଗୋଲାମୁଣ୍ଡାରେ ୧୪, ଲାଞ୍ଜିଗଡ଼ରେ ୨୩. ୬, ନର୍ଲାରେ ୭, ମଦନପୁର ରାମପୁରରେ ୯, ଭବାନୀପାଟଣାରେ ୨୦. ୮ ଏବଂ କର୍ଲାମୁଣ୍ଡାରେ ୬ ମିଲିମିଟର ବର୍ଷା ହୋଇଛି । ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ହାତୀନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ, ଅନ୍ୟାନ୍ୟ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇଛି । ହାତୀନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ପ୍ରଥମ ବନ୍ୟା ଜଳକୁ ମଙ୍ଗଳପୁର ହାତୀ ବ୍ୟାରେଜରୁ ୪୧୨ କ୍ୟୁସେକ ଜଳ ହାତୀ ନଦୀ ଗର୍ଭରେ ଛଡ଼ାଯାଇଛି । ଫଳରେ ହାତୀ ନଦୀ କୂଳରେ ଅବସ୍ଥିତ ଗ୍ରାମବାସୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି । ହାତୀନଦୀ ସଂଲଗ୍ନ ବିଭିନ୍ନ ନାଳରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ହାତୀ ନଦୀ କୂଳ ଲଂଘନ କରି ବନ୍ୟାଜଳ କଲମପୁର – ବିଜମରା ରାସ୍ତାର ବିରିପୁର ଗାଁ ନିକଟରେ ରାସ୍ତା ଉପରେ ପ୍ରବାହିତ ହେଉଛି । ସେଭଳି କଲମପୁର – କୋଟା ଗାଁ ରାସ୍ତାର ଭେଲାଗାଁ ନିକଟରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି । ସେଭଳି ବାଲିଛଡା ରାସ୍ତା ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ପପୋରୁଆଗୁଡା ଏବଂ ବୋଦେଲବନ୍ଧରେ ପ୍ରାୟ ୨୫୦ ଜଣ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରି ରନ୍ଧାଖାଦ୍ୟ ଦିଆଯାଇଛି । ଜିଲ୍ଲାରେ ଖରିଫ ଚାଷ କାର୍ଯ୍ୟ ଚାଲିଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇରହିଛି । ଫଳରେ ଧାନ ଏବଂ ପନିପରିବା ଚାଷ ନଷ୍ଟ ହେବାର ଆଶଙ୍କା ରହିଛି । ଲଗାଣ ବର୍ଷା ଯୋଗୁ ଚାଷୀମାନେ ଚିନ୍ତିତ ହୋଇ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁ କଲମପୁର-ଜୁନାଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ବରଗାଁ ନିକଟସ୍ଥ ନିର୍ମାଣାଧୀନ ପୋଲର ଆପ୍ରୋଚ ରାସ୍ତା ଦ୍ଵିତୀୟ ଥର ପାଇଁ ଧୋଇଯାଇଛି । ଯାହାଫଳରେ କଲମପୁର ଏବଂ ଭବାନୀପାଟଣା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଯାନବାହାନ ଗୁଡିକ ଇନ୍ଦ୍ରାବତୀ ମୁଖ୍ୟ କେନାଲ ରାସ୍ତା ଦେଇ ଯାତାୟାତ କରୁଛି ।