
ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟି ଠାରେ କୋଶଲି ଭାଷାର ସୁରକ୍ଷା ପାଇଁ ତହଁକ କୁଟୁମର ନିଆରା କାର୍ଯ୍ୟକ୍ରମ “ହଜ୍ଲା ରସ୍ ନୁର୍ମା ଆସ” ଲୁକି ଯାଉଥିବା ବଖାନି ଓ ଲୋକ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଲୋକ ସଂସ୍କୃତି ଉପରେ ଡ଼. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଦିଲୀପ କୁମାର ପୁରୋହିତ, ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ନିଜ ନିଜ ବକ୍ତବ୍ୟ ରଖିଥିଲେ । ନୂଆଁଖାଇ ଉପଲକ୍ଷେ ତହଁକ୍ କୁଟୁମ୍ ତରଫରୁ ଗାଁ ଗାଁକୁ ଯାଇ ଲୋକ କଳା, ଲୋକ ସଂସ୍କୃତି, ଲୋକ ଗୀତ ପ୍ରତିଯୋଗିତା ତଥା ସୁରକ୍ଷା ପାଇଁ କାର୍ଯ୍ୟକ୍ରମ କରିବ ବୋଲି ସମ୍ପାଦକ ରାଜେଶ ଦଣ୍ଡସେନା କହିଥିଲେ । ପରେ ପରେ ବଖାନି ରଜା ସମ୍ମାନରେ କବି କିଶୋର ପଟେଲ ଏବଂ ଅକୃର ବାଗକୁ ସମ୍ମାନିତ କରାଯାଇଥିଲା ଓ ଭାଷା ପ୍ରତି ସମର୍ପିତ କବି ନିତ୍ୟାନନ୍ଦ ଜୁଏଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦିଲୀପ କୁମାର ଥନାପତି ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଦେବେନ୍ଦ୍ର ମିସ୍ତ୍ରୀ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ବଖାନି ଆସରରେ ବହୁସଂଖ୍ୟାରେ ଲୋକ ଯୋଗଦେଇ ପ୍ରଶ୍ନୋତ୍ତର ମାଧ୍ୟମରେ ପୁରୁଣା ସ୍ମୃତିକୁ ବଖାଣି ଉତ୍ସୁକତାର ସହ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋପୀନାଥ ଦଣ୍ଡସେନା, ଘନ ମେହେର, ନିକିତା ସା, ସାଲିନି ସା, ପ୍ରସନ୍ନ ଗଡତିଆ, ଭବାନୀ ମିଶ୍ର, ବିବେକା ପ୍ରଧାନ, ଗରିବ ମଲ୍ଲିକ, ସଂକୀର୍ତ୍ତନ ମହାଲିଙ୍ଗ, ମନୋରଞ୍ଜନ ସା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମିଲନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଲେ ଜ୍ୟୋତିରାଣୀ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଶେଷରେ ନିତ୍ୟାନନ୍ଦ ଜୁଏଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।