
-ପରଷା ଯାଇଥିଲା ପୋକ ସାଲୁବାଲୁ ଭାତ, ରୋଷେୟାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଅନାଥ ଶିଶୁ ଆଶ୍ରୟସ୍ଥଳ ଉତ୍କଳ ବାଳାଶ୍ରମରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି । ଭାତରେ ମଲା ପୋକ ଥିବା ସତ୍ତ୍ବେ ଶିଶୁଙ୍କୁ ଖାଇବାକୁ ଦିଆଯାଇଥିବା ଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଯାହାକି ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି)ର ଅଧ୍ୟକ୍ଷା ଲିନା ବାବୁଙ୍କ ଆକସ୍ମିକ ପରିଦର୍ଶନ ସମୟରେ ଏହି ଅନିୟମିତତା ଧରାପଡିଛି । ବାଳାଶ୍ରମରେ ଅନାଥ ଶିଶୁ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥିବା ବେଳେ ଭାତରେ ଖାଲି ମଲା ପୋକ ଥିବା ଦେଖାଯାଇଥିଲା । ଷ୍ଟୋର ରୁମ୍ରେ ରଖାଯାଇଥିବା ଚାଉଳରେ ମଧ୍ୟ ବହୁ ପରିମାଣରେ ପୋକଥିବା ଦେଖିବାକୁ ମିଳିଥିଲା । ବାଳାଶ୍ରମ ପରିଚାଳନାରେ ବ୍ୟାପକ ଅନିୟମିତତା ଓ ମନମାନି ହେଉଥିବା ବେଳେ କଣ କରୁଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ପିଲା ଅଭିଯୋଗ କଲେ ତାଙ୍କୁ ଦାୟିତ୍ୱରେ ଥିବା ୱାର୍ଡେନ ମାଳତୀ ଜେନା ନାଲି ଆଖି ଦେଖାଇବା ସହ ମାଡ ମରାଯାଉଛି । ଏହି ବିଷୟ ପିଲାମାନେ ଖୋଦ୍ ଜିଲ୍ଲାପାଳ ଓ ସିଡବ୍ଲୁସି ଅଧ୍ୟକ୍ଷାଙ୍କୁ ଅଭିଯୋଗ କରିଥିବା ବିଷୟ ଜଣାପଡିଛି । ନିମ୍ନମାନର ଖାଦ୍ୟ ଦେଖି ସିଡବ୍ଲ୍ୟୁସି ଅଧ୍ୟକ୍ଷା ଏ ନେଇ ତୁରନ୍ତ ଫୋନ ଯୋଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ସୂଚନା ପାଇ ବିଭାଗୀୟ ଅଧିକାରୀ ବାଳାଶ୍ରମରେ ପହଞ୍ଚି ରୋଷେଇ ଘରେ ଥିବା ଭାତର ମାନ ଦେଖିଥିଲେ । ସେପଟେ ସିଡବ୍ଲ୍ୟୁସି ଅଧ୍ୟକ୍ଷା ଘଟଣା ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ବାଳାଶ୍ରମ ପରିଚାଳନାରେ ଅବହେଳା ସମ୍ପର୍କରେ ଚିଠି ମାଧ୍ୟମରେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଖବର ପାଇ ରାତିରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ବାଳାଶ୍ରମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଉତ୍କଳ ବାଳାଶ୍ରମରେ ପ୍ରାୟ ୫୦ ଜଣ ଅନ୍ତେବାସୀ ଅଛନ୍ତି । ସରକାର ପ୍ରତି ଶିଶୁଙ୍କ ପାଇଁ ମାସିକ ୪୮୦୦ଟଙ୍କା ଅର୍ଥ ରାଶି ପ୍ରଦାନ କରୁଥିବା ବେଳେ ଅର୍ଥ ବାଟମାରଣା ହେଉଥିବା ସ୍ପଷ୍ଟ ହୋଇଛି । ପରିଚାଳନାଗତ ଅବ୍ୟବସ୍ଥା ଜଣାପଡ଼ିବା ବିଷୟ ସିଡବ୍ଲ୍ୟୁସି ଅଧ୍ୟକ୍ଷା ଲିନା ବାବୁ ଓ ସଦସ୍ୟା ଅଞ୍ଜଳି ନେଗୀ ମଙ୍ଗଳବାର ବାଳାଶ୍ରମ ପରିଦର୍ଶନରେ ଯାଇଥିଲେ । ରୋଷେଇ ଘରକୁ ପ୍ରବେଶ କରି ରନ୍ଧା ଯାଇଥିବା ଭାତ ଓ ତରକାରୀ ଦେଖିଥିଲେ । ଭାତରେ ମଲା ସୁରି ପୋକ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ । ବାହାରକୁ ଆସି ଦେଖିଲେ ଶିଶୁ ମାନେ ଭାତରୁ ପୋକ ବାଛି ବାଛି ଖାଉଛନ୍ତି । ଯାହାକି ଅଧ୍ୟକ୍ଷା ସ୍ତବ୍ଧ ହୋଇ ଯାଇଥିଲେ । ଜିଲ୍ଲାପାଳ ବାଳାଶ୍ରମ ରୋଷେୟା ଆନନ୍ଦିନୀ ପାଣିଗ୍ରାହୀଙ୍କୁ ବହିଷ୍କାର କରିଥିବା ବେଳେ ୱାର୍ଡେନ ମାଳତୀ ଜେନାଙ୍କୁ ଏ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଓ ଆହୁରି ଅଧିକ ତଦନ୍ତ ହେବ ଏବଂ ଆକ୍ସନ ମଧ୍ୟ ହେବ ବୋଲି ସୂଚନା ମିଳିଛି । ସେପଟେ ସିଡବ୍ଲ୍ୟୁସି ଅଧ୍ୟକ୍ଷାଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀ ତଥା ଜନସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ବାଳାଶ୍ରମ ୱାର୍ଡେନ ମାଳତୀ ଜେନାଙ୍କୁ ବହିଷ୍କାର ଦାବୀ କରାଯାଉଛି । ସେପଟେ ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ କାର୍ଯ୍ୟକୁ ମଧ୍ୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।