ରାଉରକେଲା ଅର୍ବାନର ସଚେତନତା କାର୍ଯ୍ୟକ୍ରମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ତରଫରୁ ଲାଠିକଟା ବ୍ଲକ୍ ଅନ୍ତର୍ଗତ ଗର୍ଜନ ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅର୍ବାନର ସଭାପତି ରୋଟାରିଆନ ଦେବବ୍ରତ ନାୟକଙ୍କ ସଭାପତିତ୍ୱ ତଥା ସଂଯୋଜନା ଓ ସମ୍ପାଦକ ରୋଟାରିଆନ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରୋଟାରିଆନ ଡାକ୍ତର ରାମଚନ୍ଦ୍ର ମେହେର, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଶଙ୍କର ମେହେର, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରୀତି ଗୁପ୍ତା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରନ୍ଦର ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମେହେର ସମ୍ପ୍ରତି ବର୍ଷା ଋତୁ ସମୟରେ ଶିଶୁ ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ହେଲେ କିପରି ଉପଚାର କରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସୁଷମ ଖାଦ୍ୟ, ଆବଶ୍ୟକ ପାଣି, ଉପଯୁକ୍ତ ବିଶ୍ରାମ, ବ୍ୟାୟାମ, ଯୋଗ, ଖେଳ ଓ ମାନସିକ ସ୍ଵାସ୍ଥ୍ୟ ଉପରେ ବକ୍ତବ୍ୟ ରଖିଥିଲା ବେଳେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗୁପ୍ତା ମହିଳା ତଥା ଛାତ୍ରୀମାନଙ୍କ ମାସିକ ଧର୍ମ ସମୟରେ ସ୍ୱଚ୍ଛତା, ବିଭିନ୍ନ ସମସ୍ୟାର ନିରାକରଣ ଦିଗରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଉପଦେଷ୍ଟା ଡାକ୍ତର ମେହେର ତାଙ୍କ ବକ୍ତବ୍ୟରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ତଥା ଶରୀର ସୁସ୍ଥ ରହିଲେ କିପରି ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ସମ୍ପର୍କରେ ଓ ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ବେଶ ଉପକୃତ ହେଉଛନ୍ତି ବୋଲି ମତ ରଖିଥିଲେ । ସଭାପତି ଶ୍ରୀ ନାୟକ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ସମ୍ପାଦକ ରୋଟାରିଆନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ରୋଟାରିଆନ ମଞ୍ଜୁରାଣୀ ମେହେର, ଉଷା ଦାସ, ସସ୍ମିତା ନାୟକ ଓ ବିଦ୍ୟାଳୟ ତରଫରୁ ନନ୍ଦକିଶୋର ସିଂହ, ମନୋଜ କୁମାର ପାହାଡି, ସହଦେବ ବଡାଇକ, ପ୍ରକାଶ ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.