ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ଚର୍ଚ୍ଚାରେ କୁମିଆପାଲି ଗାଁ । ପ୍ରଶାସନର ଗାଁ ଉଚ୍ଛେଦ ତଥା ବିସ୍ଥାପନ ଉଦ୍ୟମକୁ ଦୃଢ଼ ବିରୋଧ କରିଛନ୍ତି ଗାଁରେ ରହୁଥିବା ୮୬ ଆଦିବାସୀ ପରିବାର । ଉଚିତ୍ କ୍ଷତିପୂରଣ ଓ ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ନିଜ ଭିଟାମାଟି ଛାଡ଼ିବେ ନାହିଁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ଏଥିସହିତ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି । ଗତକାଲି ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଗାଁ ଛାଡ଼ିବାକୁ ବୁଝାଇଥିଲେ ହେଁ ଗ୍ରାମବାସୀ ରୋକଠୋକ ଭାବେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ନ୍ୟାୟସଙ୍ଗତ କ୍ଷତିପୂରଣ ବିନା ଭିଟାମାଟି ଛାଡ଼ିବାକୁ ଗ୍ରାମବାସୀ ମନା କରି ଦେଇଥିଲେ । ଗ୍ରାମବାସୀଙ୍କ ଏହି ଦୃଢ଼ ଆଭିମୁଖ୍ୟ ପରେ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ାଇ ପାରିନଥିଲା । ଆଜି ପୁଣି ପୋଲିସ ଫୋର୍ସ ଓ ସରକାରୀ ଅଧିକାରୀ କୁମିଆପାଲି ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ପ୍ରଶାସନିକ ଚାପରେ ଅତିଷ୍ଠ ହୋଇ ଗ୍ରାମବାସୀ ପାଉଥିବା ସମସ୍ତ ସରକାରୀ ସୁବିଧା ରାସନକାର୍ଡ, ସ୍ୱାସ୍ଥ୍ୟକାର୍ଡ ତଥା ଭତ୍ତାକାର୍ଡ ଗାଁ ମଣ୍ଡପରେ ଉପସ୍ଥିତ ଥିବା ଦୁଇ ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ଜମା କରିବା ସହିତ ସରକାରଙ୍କ ସହିତ ସମସ୍ତ ଆଲୋଚନା ତଥା ସମ୍ପର୍କ ଛିନ୍ନ ହେଲା ବୋଲି କହିଥିଲେ । ଏପଟେ ପୂର୍ବରୁ ସହାୟତା ରାଶି ଗ୍ରହଣ କରିଥିବା ପରିବାରର ଘର ଭଙ୍ଗାଯିବା କାର୍ଯ୍ୟ ଜାରି ରହିଥିବା ବେଳେ ଗ୍ରାମରେ ଉତ୍ତେଜନା ମୂଳକ ସ୍ଥିତି ଲାଗି ରହିଥିବା ଜଣାଯାଇଛି ।
