ବେଲପଡାରେ ପ୍ରେମକୁ ନେଇ ରକ୍ତାକ୍ତ କାଣ୍ଡ : ଛୁରାମାଡ଼ ଓ ପଥର ଆକ୍ରମଣରେ ଦୁଇ ଗୁରୁତର

csstore

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ଏହି ଘଟଣାରେ ଜଣେ ବିବାହିତା ମହିଳା ଛୁରାମାଡ଼ର ଶିକାର ହୋଇଥିବା ବେଳେ, ଜଣେ ପୁରୁଷଙ୍କୁ ପଥରରେ ଆକ୍ରମଣ କରାଯାଇ ଗୁରୁତର ଆହତ କରାଯାଇଛି। ଆହତ ଦୁଇଜଣ ହେଲେ ସସ୍ମିତା ମେହେର ଏବଂ ମୁନା ବେହେରା। ସୂଚନା ଅନୁସାରେ, ଘଟଣା ପରେ ଖବର ପାଇ ବେଲପଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବେଲପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୨୯ ଜୁନରେ ସସ୍ମିତାଙ୍କୁ ନେଇ ଏକ ଅପହରଣ ଉଦ୍ୟମ ମାମଲାରେ ମୁନା ବେହେରାଙ୍କ ନାମ ଆସିଥିଲା ଏବଂ ସେ ସେହି ଘଟଣା ପରଠାରୁ ଫେରାର ଥିବା କୁହାଯାଉଛି। ଆଜିର ଘଟଣା ମଧ୍ୟ ସେହି ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁନା ବେହେରା ଓ ସସ୍ମିତା ମେହେର ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ପରସ୍ପର ସହ ସମ୍ପର୍କରେ ଥିଲେ। ମୁନା ବେହେରା ମୁରିବାହାଲ ଥାନା ଅନ୍ତର୍ଗତ ଅତରଲଗା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ମହିଳାଙ୍କୁ ଛୁରାମାଡ଼ କିଏ କଲା ? ମୁନା ବେହେରାଙ୍କ ଉପରେ ପଥର ଆକ୍ରମଣ ପଛରେ କାହାର ହାତ ରହିଛି ? ଏହା ପ୍ରେମ ସମ୍ପର୍କଜନିତ ବିବାଦ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ? ଏହି ସମସ୍ତ ଦିଗକୁ ନେଇ ବେଲପଡା ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.