ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ପଞ୍ଚାୟତର ଛତ୍ରଙ୍ଗ ଗାଁ ନିକଟସ୍ଥ ଗୁମ୍ଫା ଡ୍ୟାମ ଝରଣାରେ ଘଟିଛି ଏକ ଅଘଟଣ । ଝରଣାରେ ଗାଧୋଉଥିବା ବେଳେ ଖସି ପଡ଼ି ଦୁଇ ଜଣ ଯୁବକ ଅଚେତ ହୋଇ ଫସି ରହିଥିବାବେଳେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ସେମାନଙ୍କୁ ସଫଳତାର ସହ ଉଦ୍ଧାର କରିଛି । ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲେଜରେ ଅଧ୍ୟୟନରତ ଚାରି ଜଣ ସାଙ୍ଗ ଛତ୍ରଙ୍ଗ ଗୁମ୍ଫା ଡ୍ୟାମ ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ଥିବା ଝରଣାରେ ଗାଧୋଉଥିବା ସମୟରେ ଦୁଇ ଜଣ ଯୁବକ ପାଦ ଖସି ପ୍ରାୟ ୬୦୦ ମିଟର ତଳକୁ ଖସିପଡ଼ି ଅଚେତ ହୋଇଯାଇଥିଲେ । ଆହତ ଯୁବକମାନେ ହେଲେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଦେବାଶିଷ ପ୍ରଧାନ ଓ ଟିମନପୁର ଗ୍ରାମର କାହ୍ନା ଦଣ୍ଡସେନା । ସେମାନଙ୍କ ସହ ଥିବା ଅନ୍ୟ ଦୁଇ ସାଙ୍ଗ ତୁରନ୍ତ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁର୍ଗମ ଜଙ୍ଗଲିଆ ଅଞ୍ଚଳ ଓ ପାହାଡ଼ିଆ ରାସ୍ତା ଅତିକ୍ରମ କରି ପ୍ରାୟ ୩ କିଲୋମିଟର ଉପରକୁ ଚଢ଼ି କର୍ମଚାରୀମାନେ ଷ୍ଟ୍ରେଚର ସହାୟତାରେ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲେ । ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ବିଳମ୍ବିତ ରାତିରେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣାଯାଇଥିଲା । ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗର ଓଆଇସି ରଞ୍ଜିତ କେରକେଟାଙ୍କ ନେତୃତ୍ୱରେ ଡିକେଏଫଏଫ ଡିଲେଶ୍ୱର ସେଠିଆ, ଅଶୋକ କୁମାର ନାୟକ, ଦୁଷ୍ମନ୍ତ ମାଝୀ, ବୃଷଭ ସାହୁ ଓ ରାଜକୁମାର ମାଝୀ ପ୍ରମୁଖ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ଉଦ୍ଧାର ପରେ ଦୁଇ ଯୁବକଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୁମ୍ଫା ଡ୍ୟାମ ଝରଣା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ପ୍ରତିଦିନ ବହୁ ଯୁବକ ଏଠାକୁ ବୁଲିବାକୁ ଆସୁଛନ୍ତି । ସେଲ୍ଫି ଓ ଭିଡିଓ ନେବା ବେଳେ ଅସାବଧାନତା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି ।
Prev Post
Next Post
