ଛାତ୍ରଙ୍କୁ ମାଡ଼ ମାରି ଅଡୁଆରେ ଗଣିତ ଶିକ୍ଷକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରି ଅଡୁଆରେ ପଡ଼ିଛନ୍ତି ଜଣେ ଗଣିତ ଶିକ୍ଷକ । ଏହି ଘଟଣା ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଉପରବାହାଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି । ଘଟଣାକୁ ନେଇ ଛାତ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମାଡ଼ ଖାଇଥିବା ଛାତ୍ରଙ୍କ ବାପା ଭୋଜରାଜ ବିଶ୍ୱାଳ କୋହଭରା କଣ୍ଠରେ ଅଭିଯୋଗ କରି କହିଛନ୍ତି ଯେ, ଶିକ୍ଷକଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେ ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ଗଣିତ ଶିକ୍ଷକ ଯେପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ପାଠ ପଢ଼ାଇବେ, ସେପର୍ଯ୍ୟନ୍ତ ସେ ନିଜ ପୁଅକୁ ସ୍କୁଲକୁ ପଠାଇବେ ନାହିଁ । ଅନ୍ୟପଟେ, ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମ୍ପୃକ୍ତ ଶିକ୍ଷକ ଛାତ୍ରଙ୍କୁ ମାଡ଼ ମାରିଥିବା କଥା ସ୍ୱୀକାର କରିଥିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ପ୍ରଶାସନଙ୍କୁ ନିରପେକ୍ଷ ତଦନ୍ତ କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବହିଷ୍କାର ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.