csstore

ରାଉରକେଲା ଇସ୍ପାତ କାରଖାନାର ୧୦୮୫ ଜଣ କର୍ମଚାରୀଙ୍କ ପଦୋନ୍ନତି

ରାଉରକେଲା, (ସସ୍ମିତା ପ୍ରଧାନ) : ନେତୃତ୍ୱ ବିକଶିତ କରିବା ସହ ଯୋଗ୍ୟତାକୁ ସ୍ୱୀକୃତ କରିବା ପାଇଁ ସଂଗଠନର ପ୍ରତିବଦ୍ଧତାକୁ ପ୍ରତିପାଦିତ କରି, ରାଉରକେଲା ଇସ୍ପାତ କାରଖାନା ର ୧୭୫ ଜଣ ଅଧିକାରୀଙ୍କ ସମେତ ସର୍ବମୋଟ ୧୦୮୫ ଜଣ କର୍ମଚାରୀ ଜୁନ ୩୦ ତାରିଖରେ ପଦୋନ୍ନତି ପାଇଛନ୍ତି । ‘ମନ୍ଥନ’ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ତରୁଣ ମିଶ୍ର ଆନୁଷ୍ଠାନିକ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ ଏବଂ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂତନ ଭାବେ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ସମାରୋହରେ ନିର୍ବାହୀ ନିର୍ଦ୍ଦେଶକ (ୱାର୍କସ) ବିଶ୍ୱରଞ୍ଜନ ପଲାଇ, ନିର୍ବାହୀ ନିର୍ଦ୍ଦେଶକ (ପ୍ରୋଜେକ୍ଟସ) ଏସ୍. ପି. ଚୌଧୁରୀ, ସିଜିଏମ୍ ଇନ୍-ଚାର୍ଜ (ଫାଇନାନ୍ସ) ରାଜେଶ ଦାସଗୁପ୍ତା, ସିଏମ୍‌ଓ ଇନ୍-ଚାର୍ଜ ତାକୁର ଜୟନ ଆଚାର୍ଯ୍ୟ ଏବଂ ସିଜିଏମ୍ (ମ୍ୟାଟେରିଆଲ୍ସ ମ୍ୟାନେଜମେଣ୍ତ) ଟି. ବିନୋଦ ମଧ୍ୟ ଉପସ୍ଥିତ ଥିଲେ । ମହାପ୍ରବନ୍ଧକ (ଜେନେରାଲ ମ୍ୟାନେଜର) ପଦବୀକୁ ପଦୋନ୍ନତି ପାଇଥିବା ୧୬ ଜଣ ଉପ-ମହାପ୍ରବନ୍ଧକ (ଡେପୁଟି ଜେନେରାଲ ମ୍ୟାନେଜର) ଏବଂ ଉପ-ମହାପ୍ରବନ୍ଧକ ପଦବୀକୁ ପଦୋନ୍ନତି ପାଇଥିବା ୩୯ ଜଣ ସ‌ହକାରୀ ମହାପ୍ରବନ୍ଧକ (ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର)ଙ୍କୁ ଶ୍ରୀ ମିଶ୍ର ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟରେ ଶ୍ରୀ ମିଶ୍ର କର୍ମଚାରୀଙ୍କ ବିକାଶ ଏବଂ ସଂଗଠନର କାର୍ଯ୍ୟଦକ୍ଷତା ମଧ୍ୟରେ ଥିବା ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସେ ଗୁରୁତ୍ୱ ଆରୋପ କରିଥିଲେ ଯେ, କାର୍ଯ୍ୟ କରିବା ପାଇଁ ଉତ୍ସାହ ବଜାୟ ରଖିବା, ପ୍ରତିଭାମାନଙ୍କୁ ସଂଗଠନରେ ପରିପୁଷ୍ଟ କରି କାର୍ଯ୍ୟର ନିରନ୍ଧରତା ରକ୍ଷା କରିବା ପାଇଁ ସ୍ୱୀକୃତି ଏବଂ ସମୟୋଚିତ କ୍ୟାରିୟର ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀମାନେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନିଜର ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟଦକ୍ଷତା ବଜାୟ ରଖିବାକୁ ଆଗ୍ରହ କରି ପଦୋନ୍ନତି ପାଇଥିବା ଅଧୂକାରୀମାନଙ୍କ ଉପରେ ସେଲ୍ ମ୍ୟାନେଜମେଣ୍ଟ ରଖୁଥିବା ବିଶ୍ୱାସକୁ ଦୋହରାଇଥିଲେ । ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ପାଇଁ ସେମାନେ ସୁରକ୍ଷା ସଂସ୍କୃତି, ପ୍ରକ୍ରିୟାରେ ସୁଧାର ଏବଂ ପରିବେଶ ପରିଚାଳନାକୁ ପ୍ରାଥମିକତା ଭାବେ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ଵ ଦେଇଥିଲେ । ପଦୋନ୍ନତି ପାଇଥିବା ଅନେକ ଅଧିକାରୀ ମଧ୍ୟ ନିଜର ନୂତନ ଦାୟିତ୍ୱ ବିଷୟରେ କହିବା ସହ ଆର୍‌.ଏସ୍‌.ପିର ସୁରକ୍ଷା, ଉତ୍ପାଦନ ଏବଂ ସ୍ଥାୟୀ ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଏହାପୂର୍ବରୁ, ସମ୍ପୃକ୍ତ ନିର୍ବାହୀ ନିର୍ଦ୍ଦେଶକମାନଙ୍କ ଦ୍ୱାରା ନୂତନ ଭାବେ ପଦୋନ୍ନତି ପାଇଥିବା ୭୯ ଜଣ ସହକାରୀ ମହାପ୍ରବନ୍ଧକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ୨୪ ଜଣ ଅଧିକାରୀ ବରିଷ୍ଠ ପ୍ରବନ୍ଧକ ପଦବୀକୁ ଏବଂ ୧୭ ଜଣ ପ୍ରବନ୍ଧକ ପଦବୀକୁ ପଦୋନ୍ନତି ପାଇଛନ୍ତି । ଏହା ସହିତ, କାରଖାନା ୱାର୍କସ ଅଞ୍ଚଳରୁ ୮୦୪ ଜଣ କର୍ମଚାରୀ ଏବଂ ଅଣ-ୱାର୍କସ ଅଞ୍ଚଳରୁ ୧୦୬ ଜଣ କର୍ମଚାରୀ ପରବର୍ତ୍ତୀ ଉଚ୍ଚ ଗ୍ରେଡ୍‌କୁ ପଦୋନ୍ନତି ପାଇଛନ୍ତି ।

jayashree
Leave A Reply

Your email address will not be published.