
ଡାକ୍ତର ଦିବସରେ ପ୍ରତିବାଦର ସ୍ୱର : ଓମସାର ୮ ଦଫା ଦାବି ନେଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଧାରଣା
ନୂଆପଡ଼ା, (କେପିଏନ୍ଏସ୍) : ସାରା ଦେଶରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନର ବନ୍ଦ ଡାକରା ଯୋଗୁଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ନିଜର ହକ୍ ପାଇଁ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି । ‘ନ୍ୟାୟ ଏବଂ ସମ୍ମାନ ପାଇଁ ଏକଜୁଟ’ ସ୍ଲୋଗାନ ସହ ଓମସାର ଏହି ଆନ୍ଦୋଳନ ଏବେ ରାଜ୍ୟସାରା ତେଜିବାରେ ଲାଗିଛି । ସେବା ପ୍ରଦାନ କରିବା ସହ ନିଜର ମୌଳିକ ସୁରକ୍ଷା ଓ ଆର୍ଥିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଆସୋସିଏସନ ସରକାରଙ୍କ ସମ୍ମୁଖରେ ୮ ଦଫା ଚାର୍ଟର ଅଫ୍ ଡିମାଣ୍ଡ ଉପସ୍ଥାପନ କରିଛି । ଓମସାର ୮ ଟି ପ୍ରମୁଖ ଦାବି : ସେଣ୍ଟ୍ରାଲ୍ ଡିଏସିପି ଲାଗୁ କରିବା : ଡେଣ୍ଟାଲ କ୍ୟାଡର ସହିତ ସମସ୍ତ ଡାକ୍ତରଙ୍କ ପାଇଁ ସେଣ୍ଟ୍ରାଲ୍ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଉ । ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଦରମା ବୃଦ୍ଧି : ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ଦରମା ବୃଦ୍ଧି କରାଯାଉ । ଲେଭଲ୍ ୧୫ର ଉଚ୍ଛେଦ : ପ୍ରଶାସନିକ ଗଠନରୁ ଲେଭଲ୍ ୧୫ କୁ ସମ୍ପୂର୍ଣ୍ଣ ଭାବେ ଶେଷ କରାଯାଉ । ଏଡ୍ହକ୍ ଡାକ୍ତରଙ୍କ ନିୟମିତକରଣ : ଦୀର୍ଘ ଦିନ ଧରି ଏଡ୍ହକ୍ରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ଚାକିରିକୁ ନିୟମିତ କରାଯାଉ । ସ୍ପେଶାଲିଷ୍ଟ ଇନସେଣ୍ଟିଭ୍ ଫାଇଲ୍ : ବିଶେଷଜ୍ଞ ଡାକ୍ତରମାନଙ୍କର ପ୍ରୋତ୍ସାହନ ସହିତ ଜଡ଼ିତ ଫାଇଲ୍କୁ ତୁରନ୍ତ ମଞ୍ଜୁରୀ ଦିଆଯାଉ । ’ମଧୁ ସାର୍’ ପେନସନ ଯୋଜନା : ପେନସନ ସମ୍ବନ୍ଧୀୟ ‘ମଧୁ ସାର୍ ପେନସନ’ ମାମଲାର ଶୀଘ୍ର ସମାଧାନ କରାଯାଉ । କ୍ୟାଡର ପୁନର୍ଗଠନ : ମେଡିକାଲ କ୍ୟାଡର ରିଷ୍ଟ୍ରକ୍ଚର ଫାଇଲ୍କୁ ଆଗକୁ ବଢ଼ାଇ ତୁରନ୍ତ ଲାଗୁ କରାଯାଉ । ଡାକ୍ତରଖାନା ସୁରକ୍ଷା : ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍ମାନଙ୍କ ସୁରକ୍ଷା ପାଇଁ ସମସ୍ତ ମେଡିକାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ । ନୂଆପଡ଼ାରେ ପ୍ରତିଫଳିତ ହେଲା ଓମସାର ଆହ୍ୱାନ । ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟର ସମସ୍ତ କର୍ମକର୍ତ୍ତା ଓ ଡାକ୍ତରମାନେ ଏକଜୁଟ ହୋଇ କହିଛନ୍ତି ଯେ, ସେମାନେ ସର୍ବଦା ରୋଗୀ ସେବାକୁ ସର୍ବୋପରି ମାନନ୍ତି, କିନ୍ତୁ ବାରମ୍ବାର ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ଦରମା ସମସ୍ୟା ସେମାନଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରିଛି । ବିଶେଷ କରି “ଡାକ୍ତରଖାନା ସୁରକ୍ଷା” କୁ ନେଇ ସେମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଓମସା ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ୮ ଦଫା ନ୍ୟାୟସଙ୍ଗତ ଦାବିଗୁଡ଼ିକ ଉପରେ ରାଜ୍ୟ ସରକାର ଶୀଘ୍ର କୌଣସି ଦୃଢ଼ ଓ ସକାରାତ୍ମକ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାରା ଓଡ଼ିଶାରେ ଆହୁରି ଉଗ୍ର ରୂପ ଧାରଣ କରିବ । ଡାକ୍ତର ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ଡାକ୍ତରମାନେ ରାଜପଥ କିମ୍ବା ଧାରଣା ସ୍ଥଳକୁ ଆସିବା ସରକାରୀ ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
