
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏଣିକି ହିତାଧିକାରୀମାନେ ୫ କେଜି ବଦଳରେ ୧୦ କେଜି ଚାଉଳ ପାଇବେ, ତେଣୁ ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ସାଧୁବାଦ୍ ଜଣାଇ ସବୁଆଡେ ଖୁସିର ଲହରୀ ଖେଳିଯାଇଛି । ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏଁ ଚାଉଳ ଅଧିକ ପାଇବେ । ତେବେ ଗଞ୍ଜାମ ଜିଲ୍ଲାର ୮ ଲକ୍ଷ ୧୮ ହଜାର, ୭ଶହ ୫୯ ପରିବାରର ୨୬ ଲକ୍ଷ ୫୪ ହଜାର ୫୮୦ ଜଣ ହିତାଧିକାରୀ ଉପକୃତ ହେବାକୁ ଯାଉଛନ୍ତି । ରାଜ୍ୟରେ ଖାଉଟିଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଏନ୍ଏଫ୍ଏସ୍ଏ ଏବଂ ଏସ୍ଏଫ୍ଏସ୍ଏସ୍ ହିତାଧିକାରୀ ଅତିରିକ୍ତ ଚାଉଳ କୋଟା ଦିଆଯିବ । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ଅଧୀନ ସମସ୍ତ ହିତାଧିକାରୀ ପରିବାର ପାଇଁ ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତିତ ମୁଣ୍ଡ ପିଛା ୫ କେଜି ଲେଖାଏିଁ ଅତିରିକ୍ତ ଚାଉଳ ମାଗଣାରେ ପାଇବେ । ଆୟୋଜିତ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଆଇଏଏସ ଶିକ୍ଷାନବିତ ସୁଶ୍ରୀ ସାରନ୍ୟା, ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପି. କେ. ମହାପାତ୍ରଙ୍କ ସମେତ ବହୁ ଡିଲର, ହିତାଧିକାରୀ ଓ ବିଭାଗୀୟ ଅଧିକାରୀମାନେ ସକ୍ରୀୟ ଯୋଗଦେଇ ସିଧାପ୍ରସାରଣକୁ ଆଭାସୀ ମାଧ୍ୟମରେ ଦେଖି ଉପଭୋଗ କରିଥିଲେ ।