jayashree

ବଙ୍ଗୋମୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଆରମ୍ଭ ହେଲା ବିଜ୍ଞାନ ପାଠ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ୯୬ଟି ସିଟ୍‌ର ଅନୁମୋଦନ ପାଇଛି । ଫଳରେ ବିଜ୍ଞାନ ପାଠ ପଢିବାକୁ ଆଗ୍ରହୀ ଥିବା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସେହିପରି ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆଶା ମଧ୍ୟ ପୂରଣ ହୋଇଥିବା ଜଣାପଡିଛି । ଏହି ମହାବିଦ୍ୟାଳୟରେ ପୂର୍ବରୁ କଳା ଓ ବାଣିଜ୍ୟ ଖୋଲିଥିବା ବେଳେ ବର୍ତ୍ତମାନ ବିଜ୍ଞାନ ବିଷୟ ଖୋଲା ଯାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଅଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଆସି ବିଜ୍ଞାନ ପାଠ ପଢିବେ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି । ନାମଲେଖା ଶୁଭାରମ୍ଭ ହୋଇଥିବା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ଅଛି ବଙ୍ଗୋମୁଣ୍ଡା ବ୍ଲକ । ଆଉ ବଙ୍ଗୋମୁଣ୍ଡା ବ୍ଲକ ହେଉଛି ଦାଦନ ପ୍ରବଣ ଅଞ୍ଚଳ । ଦାଦନ ପାଇଁ ବେଶ ପରିଚିତି ପୁଣି ସେହି ଅଞ୍ଚଳରେ ବିଜ୍ଞାନ ବିଭାଗ ପାଠ୍ୟକ୍ରମ ଆରମ୍ଭ ହୋଇଛି । ତେବେ ଦୀର୍ଘଦିନର ଶିକ୍ଷାଦାନର ମୁଖ୍ୟ ସମସ୍ୟା ପୂରଣ ହୋଇଥିବା ଯୋଗୁଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଜ୍ଞାନ ପାଠ ପଢିବା ପାଇଁ ଅଞ୍ଚଳର ବହୁ ଛାତ୍ରଛାତ୍ରୀମାନେ ଦୂରଦୁରାନ୍ତକୁ ଯାଇ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଏଠାରେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ସୁରକ୍ଷିତ ଭାବେ ରହି ଶିକ୍ଷାଦାନକୁ ଗ୍ରହଣ କରିବେ ବୋଲି ଶିକ୍ଷାବିତ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.