
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଘଟଣାର ତଦନ୍ତ କରି କମାଗଡ଼ ଗ୍ରାମର ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଆସ୍କା ଥାନା ଇଲାକାର କମାଗଡ଼ ଗ୍ରାମର ଚନ୍ଦନ ନାୟକ(୨୦) ନାମକ ଜଣେ ଯୁବକ ପାଞ୍ଚ ମାସ ତଳେ ଜଣେ ନାବାଳିକାକୁ ତାଙ୍କ ଘରେ କେହି ନଥିବା ଦେଖି ଘରେ ପଶି ବଳତ୍କାର କରିବା ପରେ ଉକ୍ତ ନାବାଳିକାକୁ ଘଟଣା ପ୍ରଘଟ ହେଲେ ଜୀବନରେ ମାରିଦେବି ବୋଲି ଯୁବକ ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ଉକ୍ତ ଘଟଣା କାହାକୁ ନକହି ଚୁପ ରହିଥିଲେ । କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ଥିବାର ଝିଅର ମାଆ ଜାଣିବାକୁ ପାଇଥିଲେ । ସେ ଘଟଣା ସମ୍ପର୍କରେ ନିଜ ଝିଅକୁ ପଚାରିବାରୁ ନାବାଳିକା ଜଣକ ସବୁ କଥା ନିଜ ମା’କୁ କହିଥିଲା । ଏହା ପରେ ସମ୍ପୃକ୍ତ ନାବାଳିକାର ମା’ ଏନେଇ ଆସ୍କା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଆସ୍କା ଥାନା ପକ୍ଷରୁ କେସ ନମ୍ବର ୨୨୬/୨୬ରେ ମାମଲା ରୁଜୁ କରି ଆସ୍କା ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆସ୍କା ଥାନା ମହିଳା ଶିଶୁ ଡେସ୍କ ଅଧିକାରୀ ଆଲିସ୍ମିତା ଜେନା ଘଟଣାର ତଦନ୍ତ ଅଧିକାରୀ ଭାବେ ତଦନ୍ତ କରି ଚନ୍ଦନ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଚନ୍ଦନକୁ ଜେଲ ପଠାଯାଇଛି । ଅନ୍ୟପଟେ ସମ୍ପୃକ୍ତ ନାବାଳିକାର ଡାକ୍ତରୀ ମାଇନା କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ରରେ ଅନୁସନ୍ଧାନ କରି ଝିଅର ଯତ୍ନ ଓ ସୁରକ୍ଷା ପାଇଁ ବ୍ରହ୍ମପୁରର ଉତ୍କଳ ବାଳାଶ୍ରମରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ରଖାଯାଇଥିବା କୁହାଯାଇଛି ।