jayashree

ବ୍ଲକ୍‌ଗ୍ରାଣ୍ଟ ବନାମ ଏସ୍‌ଏସ୍‌ବି : ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଛକାପଞ୍ଝା

ରାଉରକେଲା/ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରାପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ଏବଂ ବରିଷ୍ଠତା ନିର୍ଦ୍ଧାରଣକୁ ନେଇ ନୂଆ ବିବାଦ ଦେଖାଦେଇଛି । ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ୪୮୮ ବର୍ଗ କଲେଜ ଶିକ୍ଷକ ଏବଂ କର୍ମଚାରୀ ସଂଘ (ଏଓଏସିଟିଇଏ) ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରେରିତ ଚିଠିକୁ ନେଇ ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକା ଏବଂ ସ୍ନାତକୋତ୍ତର ଶିକ୍ଷକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂଘ ପକ୍ଷରୁ ମଇ ୨୫ରେ ଜାରି ହୋଇଥିବା ଚିଠିରେ ୨୦୦୯ ଜିଆଇଏ ଅଧୀନ ଅଧ୍ୟାପକମାନଙ୍କୁ ଭାରାପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ଦାବି କରାଯିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକଙ୍କ ଦ୍ୱାରା ୧୯.୦୫.୨୦୨୬ରେ ଜାରି ଚିଠି ନଂ ୫୨୬୫କୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା । ଚାପର ବଶବର୍ତ୍ତୀ ହୋଇ ୨୫.୦୫.୨୦୨୬ରେ ପତ୍ର ସଂଖ୍ୟା ୫୬୫୯ରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉକ୍ତ ଚିଠିକୁ ପ୍ରତ୍ୟାହାର କରି ନେଇଛି । ଏହାକୁ ନେଇ ଏସ୍‌ଏସ୍‌ବି ଅଧ୍ୟାପକ ଓ ସ୍ନାତକୋତ୍ତର ଶିକ୍ଷକ ସଂଘମାନ ତୀବ୍ର ପତିକ୍ରିୟା ଜଣାଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ମନୋଭାବ ନୂତନ ପିଢିର ନିଯୁକ୍ତ ଅଧ୍ୟାପକମାନଙ୍କ ଅଧିକାରକୁ ଅବମାନନା କରୁଛି । ସେମାନଙ୍କ ମତରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ମାଧ୍ୟମରେ ରାଜ୍ୟ ସରକାରଙ୍କ ନିୟମିତ ଚୟନ ପ୍ରକ୍ରିୟା ଅନୁସାରେ ଅନୁମୋଦିତ ପ୍ରତ୍ୟକ୍ଷ ବେତନଭୁକ୍ତ ପଦରେ ଏସ୍‌ଏସ୍‌ବି ଅଧ୍ୟାପକ ଏବଂ ସ୍ନତକୋତ୍ତର ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୫.୦୭.୨୦୨୪ରେ ସଂଖ୍ୟା ୨୮୮୫୨ରେ ଜାରି ପତ୍ର ୧୭.୧୨.୨୦୨୪ରେ ସଂଖ୍ୟା ୫୦୮୩୯ରେ ଜାରି ପତ୍ର ଏବଂ ୦୮.୧୧.୨୦୨୪ ସଂଖ୍ୟା ୪୪୮୯୦ରେ ଜାରି ପତ୍ର ଅନୁସାରେ ସ୍ପଷ୍ଟ କରାଯାଇଛି ଯେ, ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜରେ କେବଳ ପ୍ରତ୍ୟକ୍ଷ ବେତନଭୁକ୍ତ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଭାରାପ୍ରାପ୍ତ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯିବ । ୨୦୦୪ ପରବର୍ତ୍ତୀ ଜିଆଇଏରେ ଅନ୍ତର୍ଭୁକ୍ତ ବ୍ଲକ୍‌ଗ୍ରାଣ୍ଟ ଅଧ୍ୟାପକ ଓ ଅଧ୍ୟାପିକମାନେ ଏଥିରେ ଅନ୍ତର୍ଭୁକ୍ତ ନାହାନ୍ତି ଓ ସେମାନେ ପ୍ରତ୍ୟକ୍ଷ ବେତନଭୁକ୍ତ ନୁହନ୍ତି । ଏହା ସତ୍ତ୍ୱେ ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକା ଏବଂ ସ୍ନାତକୋତ୍ତର ଶିକ୍ଷକଙ୍କୁ ପ୍ରଶାସନିକ ଦାୟିତ୍ୱରୁ ଦୂରେଇ ରଖିବା ପାଇଁ ଏଓଏସିଟିଇଏ ପକ୍ଷରୁ ଜାରି ପତ୍ର ଅନ୍ୟାୟକୁ ସମର୍ଥନ ଦେଉଛି । ଏହାସହ ସଂଘ ପକ୍ଷରୁ କୁହାଯାଇଛି ଯେ, ଏଓସିଟିଇଏ କେବଳ ବ୍ଲକ୍‌ଗ୍ରାଣ୍ଟ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଛି ଓ ସମ୍ପୂର୍ଣ୍ଣ ୪୮୮ ବର୍ଗ ଅଧ୍ୟାପକ-ଅଧ୍ୟାପିକାଙ୍କ ସ୍ୱର ନୁହଁ । ଓଡ଼ିଶା ଏସ୍‌ଏସ୍‌ବି ଅଧ୍ୟାପକ ଏବଂ ଅଧ୍ୟାପିକା ସଂଘ (ଓସଲା) ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେତେକ ସଂଘ ଦୀର୍ଘଦିନ ଧରି ପୁରୁଣା ଜିଆଇଏ ଆଧାରିତ ବ୍ୟବସ୍ଥାକୁ ଜାରି ରଖିବାକୁ ଚାହୁଁଥିବାବେଳେ ନୂତନ ନିଯୁକ୍ତ ଯୋଗ୍ୟ ଅଧ୍ୟାପକମାନଙ୍କୁ ପଛକୁ ଠେଲା ଯାଉଛି । ଏହି ପ୍ରକାର ଚିଠି ଶିକ୍ଷାନୁଷ୍ଠାନ ମଧ୍ୟରେ ଅନାବଶ୍ୟକ ବିଭାଜନ ସୃଷ୍ଟି କରୁଛି । ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଭାରାପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଉ ଓ ବ୍ଲକ୍‌ଗ୍ରାଣ୍ଟ ସଂଘର ଚାପର ବଶବର୍ତ୍ତୀ ହୋଇ ସରକାର ଏସ୍‌ଏସ୍‌ବି ଅଧ୍ୟାପକ/ଅଧ୍ୟାପିକା ଏବଂ ସ୍ନାତକୋତ୍ତର ଶିକ୍ଷକଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାରରୁ ବଞ୍ଚିତ କରନ୍ତୁ ନାହିଁ ।

Leave A Reply

Your email address will not be published.