jayashree

ଜଳସେଚନର ପଚିଶ ବର୍ଷ ପରେ ପ୍ରଥମ ରବିଚାଷ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବିଗତ ୨୫ବର୍ଷ ଧରି ଜଳସେଚନ ଆରମ୍ଭ ହୋଇ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ବେଳେ ଚଳିତ ରବିରେ ଆଉ ପାଦେ ଆଗକୁ ଯାଇ ଜାରିଂ ଡିଷ୍ଟ୍ରିବୁଟରୀ ପରିସରରେ ଆସୁଥିବା ସାତଟି ଗ୍ରାମର ୨୦୭୦ହେକ୍ଟର ଜମିରେ ପ୍ରଥମ ଥର ପାଇଁ ରବି ଜଳସେଚନ ଦିଆଯାଇଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ସୂଚନା ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଗତ ୨୦୦୧ ମସିହାଋ ଜଳସେଚନ ଆରମ୍ଭ ହୋଇଥିଲା । ସଂପୃକ୍ତ କେନାଲର ଆରମ୍ଭରୁ ୪୧ କି.ମି. ପର୍ଯ୍ୟନ୍ତ ନବ କଳେବର ହୋଇ ସମ୍ପୂର୍ଣ୍ଣ ଲାଇନିଂ ହେବା ପରେ ମୁଖ୍ୟ କେନାଲର ଜଳଧାରଣ କ୍ଷମତା ପଢ଼ିବାରେ ଲାଗିଛି । ଚଳିତ ବର୍ଷ ଜଳ ସେଚନର ବାସ୍ତବତାକୁ ଦେଖି ଜାରିଂ ଡିଷ୍ଟ୍ରିବୁଟରୀ ପରିସର ମଧ୍ୟରେ ଆସୁଥିବା ଜୁନାଗଡ଼ ବ୍ଲକର ନନ୍ଦୋଲ ଓ କେନ୍ଦୁ ପାଟି ପଞ୍ଚାୟତର ଘଣ୍ଟ ବାହୀଲି, ଲବଣୀ ପୁର, ଖଇର ମାଳ, ବାଦଲ ଦେଈ, ନାନ୍ଦୋଲ, ବ୍ରାହ୍ମଣୀ ଗୁଡ଼ା ଓ କେନ୍ଦୁପାଟି ଗ୍ରାମର ୨୦୭୦ହେକ୍ଟର ଜମିରେ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ରବି ଜଳସେଚନ ଦେଇ ଅନ୍ୟ ଏକ ବିକାଶର ଫର୍ଦ୍ଦ ଯୋଡ଼ିଥିବା ଆଲୋଚନା ହେଉଛି । ସଂପୃକ୍ତ ଅଂଚଳର ଚାରିଗୋଟି ପାଣି ପଞ୍ଚାୟତର କର୍ମକର୍ତ୍ତା ଓ ଚାଷୀ ପ୍ରଥମ ରବି ଜଳସେଚନକୁ ସ୍ୱାଗତ କରିବା ସହିତ ବିଭାଗୀୟ ସହଯୋଗ ଚାଷୀଙ୍କ ଆର୍ଥିକ ବିକାଶରେ ସହାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି । ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ସେଠୀ ଏହି ଅଞ୍ଚଳର ଜଳସେଚନ ପାଇଁ ପ୍ରୟାସ କରିଥିବା ସୂଚନା ମିଳିଛି । ଦକ୍ଷିଣ କେନାଲର ନବ କଳେବର ଆରମ୍ଭ ଠାରୁ ୮୪କି.ମି. ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହେଲେ ସମଗ୍ର ପ୍ରସ୍ତାବିତ ଅଞ୍ଚଳର ଚାଷୀ ଉପକୃତ ହେବେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.