jayashree

ଆନ୍ତର୍ଜାତିକ ଜୈବ ବିବିଧତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୨୨ ମଇରେ “ଆନ୍ତର୍ଜାତିକ ଜୈବ ବିବିଧତା ଦିବସ (ଆଇଡିବି)” ପାଳନ କରାଯାଏ । ‘ଜୈବ ବିବିଧତା’ ଶବ୍ଦର ବ୍ୟବହାର ପ୍ରଥମେ ୧୯୮୫ରେ ଆରମ୍ଭ କରାଯାଇଥିଲା । ଜୈବ ବିବିଧତା କହିଲେ ବିବିଧ ପ୍ରକାରର ଉଦ୍ଭିଦ, ପ୍ରାଣୀ, ଅଣୁଜୀବ ଇତ୍ୟାଦିକୁ ବୁଝାଏ । ସ୍ଥାନୀୟ ଭାବରେ, ଏକ ଅଞ୍ଚଳରେ, ଏକ ଦେଶର ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀ ସେଠାକାର ଜଳବାୟୁ ଅନୁସାରେ ବିବିଧ ପରିସଂସ୍ଥାର ପରିଚୟ ସୃଷ୍ଟି କରିଥାଆନ୍ତି । ଜୈବ ବିବିଧତା ପରିବେଶ ଏବଂ ଅର୍ଥନୈତିକ ଗୁରୁତ୍ୱ ବହନ କରେ । ଏହା ଆମକୁ ପୋଷଣ, ଗୃହ ଉପକରଣ, ଇନ୍ଧନ, ବସ୍ତ୍ର, ଔଷଧୀୟ ଗୁଳ୍ମ, ମନୋରଞ୍ଜନ, ପରିସଂସ୍ଥୀୟ ସେବା ଏବଂ ଅନ୍ୟାନ୍ୟ ଉତ୍ସଗୁଡ଼ିକ ଯୋଗାଇଥାଏ । ୨୦୨୨ର ଏକ ଆକଳନ ଅନୁସାରେ, ଯାହା ୩୦୦୦ରୁ ଅଧିକ ବିଶେଷଜ୍ଞଙ୍କ ଉପରେ ସର୍ଭେ କରିଥିଲା । ୧୫୦୦ ବର୍ଷ ତୁଳନାରେ ପ୍ରାୟ ୩୦ % ବିବିଧ ଜୀବ ଜାତି ବିପଦଗ୍ରସ୍ତ ହୋଇ ବିଲୁପ୍ତ ହୋଇଯାଇଛନ୍ତି । ପ୍ରାକୃତିକ ବାସସ୍ଥାନ ନଷ୍ଟ, ଅଯଥା ବିକାଶମୂଳକ କାର୍ଯ୍ୟକଳାପ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଜୈବ ବିବିଧତା ସମ୍ବଳର ଅତ୍ୟଧିକ ଶୋଷଣ ଇତ୍ୟାଦି ହେଉଛି ଏହାର କାରଣମାନ । ଏହି ବିଶ୍ଵ ସ୍ତରୀୟ ଉତ୍ସବ ୨୨ ମଇ ୧୯୯୨ରେ ଅନୁଷ୍ଠିତ ‘ଜୈବ ବିବିଧତା ସମ୍ମିଳନୀ’ର ଚୁକ୍ତିନାମା ଗ୍ରହଣକୁ ସ୍ମରଣ କରିଥାଏ ଏବଂ ଏହି ସମ୍ମିଳନୀ, ଏହାର ପ୍ରୋଟୋକଲ୍ ଏବଂ ଆନୁଷଙ୍ଗିକ କାର୍ଯ୍ୟ ଢାଞ୍ଚା ପାଇଁ ବ୍ୟାପକ ସମର୍ଥନ ପ୍ରଦାନ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ । ୨୦୨୬ ପାଇଁ ବିଷୟବସ୍ତୁ ହେଉଛି “ବିଶ୍ୱବ୍ୟାପୀ ପ୍ରଭାବ ପାଇଁ ସ୍ଥାନୀୟ ଭାବରେ କାର୍ଯ୍ୟ କରିବା ।” ଏହି ବିଷୟବସ୍ତୁ ଆଲୋକିତ କରେ ଯେ, ଧରିତ୍ରୀ ଗ୍ରହର ପରିସଂସ୍ଥାକୁ ରକ୍ଷା କରିବା ସମ୍ପ୍ରଦାୟ-ଚାଳିତ ଛୋଟ ଛୋଟ ପ୍ରୟାସ ଉପରେ ବହୁଳ ଭାବରେ ନିର୍ଭର କରେ । ବିଶ୍ୱବ୍ୟାପୀ ସଂରକ୍ଷଣ ଲକ୍ଷ୍ୟର ସଫଳତା ସ୍ଥାନୀୟ ସମ୍ପ୍ରଦାୟ ଓ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ନିଜ ନିଜର ଦୈନନ୍ଦିନ କାର୍ଯ୍ୟ ଉପରେ ନିର୍ଭର କରେ । ପ୍ରକୃତିର ସୌନ୍ଦର୍ଯ୍ୟ ଏହାର ଅସୀମ ବିବିଧତା ମଧ୍ୟରେ ସନ୍ନିବିଷ୍ଟ, ପ୍ରତ୍ୟେକ ପ୍ରାଣୀ, ପ୍ରତ୍ୟେକ ଉଦ୍ଭିଦର ନିଜସ୍ୱ ବିଚିତ୍ର କାହାଣୀ ରହିଛି । ଏହି ଉଦ୍ଧୃତି ପ୍ରକୃତିର ଚିତ୍ତାକର୍ଷକ ସୌନ୍ଦର୍ଯ୍ୟର ମହତ୍ତ୍ଵକୁ ବ୍ୟାଖ୍ୟା କରିଥାଏ । “ଜୈବ ବିବିଧତାର ମୂଲ୍ୟ ହେଉଛି ଯେ, ଏହା ଆମର ପରିସଂସ୍ଥାକୁ ଅଧିକ ସ୍ଥିର କରିଥାଏ, ଯାହା ସ୍ଥିର ସମାଜ ପାଇଁ ଏକ ପୂର୍ବ ଆବଶ୍ୟକତା ଏହାର ଅବାଧ ବିନାଶ ଆମ ଜୀବନ ଜାହାଜରେ ନିଆଁ ଲଗାଇବା ସହିତ ସମାନ” । – ଜୋହାନ ରକଷ୍ଟ୍ରୋମ୍

Leave A Reply

Your email address will not be published.