
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯକ୍ଷ୍ମା ରୋଗର ନିରାକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଆଲୋଚନା ମାଧ୍ୟମରେ ଏକ ସଚେତନତା ଅଭିଯାନ ସୋମବାର ଆରମ୍ଭ କରାଯାଇଛି । ଏହି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସ୍ୱାସ୍ଥ୍ୟ ପରାମର୍ଶଦାତା ଡି. ଦେବହରି ରେଡ୍ଡୀ ଯୋଗଦେଇ ବିଭିନ୍ନ ଗୋଷ୍ଠୀ ଭିତ୍ତିକ କ୍ରୀଡ଼ା ମାଧ୍ୟମରେ ସଚେତନ କରାଇ ପିଲାମାନଙ୍କୁ ସ୍ୱାସ୍ଥ୍ୟର ବାର୍ତ୍ତା ପ୍ରଦାନ କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଆଇ.ସି.ଟି.ସି ପରାମର୍ଶ ଦାତା ସାନୁଜ କୁମାର ପଟ୍ଟନାୟକ ଯକ୍ଷ୍ମା ଏବଂ ଏଡ଼ସ ରୋଗ କିପରି ମିଶ୍ରିତ ଭାବରେ ସଂକ୍ରମିତ ହୁଏ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ । ଟିବି ଚମ୍ପିୟାନ୍ ମୁନା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରି ଯକ୍ଷ୍ମା ରୋଗର ଲକ୍ଷଣ ଓ ରାଜ ଯକ୍ଷ୍ମା ରୋଗର ଲକ୍ଷଣ ଓ ପାଦୃଭାବ ସମ୍ପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଓ ଚିକିତ୍ସା ଉପଲବ୍ଧ ସମେତ ଆର୍ଥିକ ସହାୟତା ବିଷୟରେ ମତାମତ ପ୍ରଦାନ କରାଯାଇଥିଲା । ଜଣେ ଯକ୍ଷ୍ମା ରୋଗୀଙ୍କ ନାମ ତାଲିକାରେ ପଞ୍ଜୀକରଣ ପ୍ରକ୍ରିୟା ହେଲା ପରେ ରୋଗୀର ନାମରେ ଥିବା ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରତ୍ୟେକ ମାସରେ ଏକ ହଜାର ଟଙ୍କା, ଛଅ ମାସରେ ୬୦୦୦ ଟଙ୍କା ଦିଆଯିବା ସହିତ ସମସ୍ତ ଟେଷ୍ଟିଙ୍ଗ ଓ ମେଡ଼ିସିନ ମାଗଣାରେ ଦିଆଯିବା ପିଲାମାନଙ୍କୁ ସବିଶେଷ ତଥ୍ୟ ସୂଚନା ପ୍ରଦାନ କରାଯାଇଛି । ଏହି ଦିନିକିଆ କାର୍ଯ୍ୟକ୍ରମରେ ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଯାଦବ, ଶିକ୍ଷୟିତ୍ରୀ କେ.ଉଷା, ଜୟଶ୍ରୀ ଦାସ, ମାଗୁଣି ଶତପଥୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ଷ୍ଟାଫ୍ ପିଲାଙ୍କ ଉଦ୍ଦେଶ୍ୟରେ ସଂଗଠିତ କାର୍ଯ୍ୟକ୍ରମ ଜରିଆରେ ସଚେତନ କରିଥିବାରୁ ଟିବି ନିରାକରଣ ସଚେତନ ସ୍ଵାସ୍ଥ୍ୟ ଟିମକୁ ସାଧୁବାଦ ଜଣାଇଥିଲେ ।