
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ, ଜିଲ୍ଲାସ୍ତରୀୟ କୃଷକ ଦିବସ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର, ବେଣାକୁନ୍ଦ। ଠାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ, ସର୍ବପ୍ରଥମେ ମାଟିମା’ଙ୍କୁ ପୂଜାର୍ଚ୍ଚନା ସହ ହଳକରି ‘ଅକ୍ଷିମୁଠି ଅନୁକୂଳ’ ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି କୃଷକମାନଙ୍କ ଚାଷ କାର୍ଯ୍ୟକୁ ଉତ୍ତମ ରୂପେ ଆଗକୁ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ‘ସିଏମ୍ କିଷାନ ସହାୟତା’ ଯୋଜନା ଅନ୍ତର୍ଗତ ଖରିଫ-୨୦୨୬ ନିମନ୍ତେ ସହାୟତା ରାଶି ଡି.ବି.ଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାର ୨୪୧୫୩୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୮ କୋଟି ୩୦ ଲକ୍ଷ ୬୨ହଜାର ଟଙ୍କା ହସ୍ତାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର କୃଷକମାନେ ଏଥିରେ ସାମିଲ ଅଛନ୍ତି । ଏଥିମଧ୍ୟରୁ ୨୩୫୯୩୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୫୫୯୯ ଜଣ ଭୂମିହୀନ କୃଷି ପରିବାର ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଲେଖାଏଁ ଡି.ବି.ଟି ମାଧ୍ୟମରେ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମାନ୍ୟବର ବିଧାୟକ ନୀଳମଣି ବିଷୋୟୀ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନୀଳମାଧବ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ସ୍ଥାନୀୟ ବିଡ଼ିଓ, ତହସିଲଦାର ସହିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅତିଥିମାନେ କୃଷକମାନଙ୍କୁ ପ୍ରଶଂସା ସହ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିନିଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ । ମନ୍ତ୍ରୀ ଜେନା କହିଥିଲେ, “ଓଡ଼ିଶାର କୃଷକମାନେ ରାଜ୍ୟର ଅର୍ଥନୀତିର ମୁଖ୍ୟସ୍ତମ୍ଭ, ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ।” ଏହି ଅନୁଷ୍ଠାନ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବଢ଼ାଇଛି । ଜମିରେ ସାର ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଏକ ସଚେତନ ରଥର ଶୁଭାରମ୍ଭ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ଵାରା ହୋଇଥିଲା । ଏହା ବିଭିନ୍ନ ଗ୍ରାମାଞ୍ଚଳ ଭ୍ରମଣ କରି ଜମିରେ ସାର ପ୍ରୟୋଗ ଓ କୃଷକ ପଞ୍ଜିକରଣ ସଚେତନ କରିବ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ଅଜୟ କୁମାର କର ଓ ସହାୟକ କୃଷି ଅଧିକାରୀ ଦିବ୍ୟା ହେନ୍ତା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା କୃଷି ଅଧିକାରୀ ବ୍ୟମୋକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗର ବ୍ଲକ କୃଷି ଅଧିକାରୀ ସଂଗ୍ରାମ କୁମାର ସେନାପତି ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।