mahavir

ନୃସିଂହନାଥ ବୈଶାଖ ମେଳା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ବୈଶାଖ ମେଳା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପର୍ବ ଜୋରଦାର ହୋଇଛି । ଆସନ୍ତା ଏପ୍ରିଲ ୨୬ ତାରିଖରୁ ମେ ୧ ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଭବ୍ୟ ମେଳାକୁ ସୁଶୃଙ୍ଖଳିତ କରିବା ପାଇଁ ବୁଧବାର ମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଏ.ବି.ଡି.ଓ (ଅନ୍ତରୀଣ ଟ୍ରଷ୍ଟି) ଦେବାଶିଷ ସିହ୍ନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ସାଂସଦ ପ୍ରତିନିଧି ପ୍ରୀତମ ମେହେର ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଳୁଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଏଥିସହ ପାଇକମାଲ ତହସିଲଦାର ସିନ୍ଧୁସୂତା ପାତ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କୁବେର ମହନ୍ତ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପାଣ୍ଡବ ଶବର ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଗତ ବର୍ଷର ଅନୁଭୂତିକୁ ପାଥେୟ କରି ଚଳିତ ବର୍ଷ ମେଳାକୁ ଅଧିକ ସୁସଂଗଠିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରମୁଖ ପଦକ୍ଷେପ ଗୁଡ଼ିକ ହେଲା ଆଇନ ଶୃଙ୍ଖଳା, ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ମୌଳିକ ସୁବିଧା ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ । ସ୍ୱାସ୍ଥ୍ୟ ଓ ଯାତାୟାତ, ଜରୁରୀକାଳୀନ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍ ଓ ଯାତାୟାତ ପାଇଁ ସୁବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା । ଉପଜିଲ୍ଲାପାଳ ଶ୍ରୀ ଭୋଇ ନିଜର ପ୍ରଥମ ଅଭିଜ୍ଞତାକୁ ନେଇ ଉତ୍ସାହ ପ୍ରକାଶ କରିବା ସହ ସମସ୍ତ ବିଭାଗକୁ ନିଜ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟିକା ଶ୍ରୀମତୀ ବରିହା ଗତ ବର୍ଷ ସରକାର ଦେଇଥିବା ୧୦ ଲକ୍ଷ ଟଙ୍କା ଅନୁଦାନର ହିସାବ ପଚାରିବାରୁ ମନ୍ଦିର ଟଷ୍ଟି ତଥା ଏବିଡିଓ ଏ ପର୍ଯ୍ୟନ୍ତ ଟଙ୍କା ଆସି ନାହିଁ ସେଥି ପାଇଁ ସମସ୍ତ ବିଲ ଭାଉଚର ଜମା କରାଯାଇଛି ବୋଲି କହିଥିଲେ । ଏଥି ସହ ବିଧାୟିକା ଶ୍ରୀମତୀ ବରିହା ପ୍ରଶାସନିକ ସମନ୍ୱୟ ରକ୍ଷା କରି ମେଳାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି । ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ଶ୍ରଦ୍ଧାଳୁ ମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ମେଳା ସମୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ବିଶେଷ ନିବେଦନ କରିଛନ୍ତି । ଆସନ୍ତା ୧୭ ତାରିଖ ବୈଶାଖ ମେଳାର ସୁପରିଚାଳନା ପାଇଁ ମେଳା କମିଟିର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ବଣ୍ଟନ କରାଯିବ । ଶେଷରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.