
ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଆମ୍ବେଦକର ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଡା. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ କହିଥିଲେ ଯେ, ଡା. ଭୀମରାଓ ଆମ୍ବେଦକର ସମ୍ବିଧାନରେ ସମାଜର ସବୁବର୍ଗର ଲୋକମାନଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନ ପ୍ରଣୟନ କରିବାରେ ତାଙ୍କର ଅବଦାନ ମହତ୍ୱପୂର୍ଣ୍ଣ । ସମସ୍ତ ବ୍ୟକ୍ତିକୁ ଦେଶର ବିକାଶ ପାଇଁ ନିଜ ନିଜ ସ୍ତରରେ ଚେଷ୍ଟା କରିବା ଉଚିତ୍ । ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ସାହୁ ବାବା ସାହେବଙ୍କ ଜୀବନ ସଂଘର୍ଷ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ, ସହାୟକ ଜିଲ୍ଲାପାଳ ହରେକୃଷ୍ଣ ସାହୁ, ମୁରଲୀଧର ଜୟପୁରିୟ, ବଣାଇ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଯୋଗଦେଇ ତାଙ୍କର ଆଦର୍ଶକୁ ମନେ ପକାଇ ଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆ ବକ୍କ୍ତକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଆଜି ସକାଳ ଉଦିତ ନଗର ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତଦୀନା ଦସ୍ତଗୀର, ଉପଜିଲ୍ଲାପାଳ ବିଜୟ ନାୟକ ସମେତ ବିଭିନ୍ନ ଗଣମାନ୍ୟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ ଓ ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା କରିଥିଲେ । ଏହି ଅବସରରେ ଅମ୍ବେଦକର ସ୍ମୃତି କମିଟିର ସଭାପତି ହଳଧର ମହାନନ୍ଦ, ସଚିବ ମଚିନ୍ଦ୍ର କଲେତ କମିଟିର ସଦସ୍ୟ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ ।