mahavir

ବଲାଙ୍ଗିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ବଲାଙ୍ଗିର ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପୂର୍ବାହ୍ନ ୦୭.୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ସମୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଜୟନ୍ତୀ ଉପଲକ୍ଷେ ପୂର୍ବାହ୍ନରେ ଅନ୍ୱେଷା ହଷ୍ଟେଲ ହଲରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, ପିଏମଶ୍ରୀ ଜିଲ୍ଲା ସଂଯୋଜକ ଖଗେଶ୍ୱର ମହାକୁର ଓ ଅନ୍ୱେଷା ହଷ୍ଟେଲ, ପଥରଚେପାର ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ସୁଚରିତା ଠାକୁର ଉପସ୍ଥିତ ଥିଲେ । ସେମାନେ ଡଃ. ଆମ୍ବେଦକରଙ୍କ ଜୀବନାଦର୍ଶ, ସଂଘର୍ଷମୟ ଓ ଗାରିମାମୟ ଜୀବନୀ ତଥା ତାଙ୍କ ଦ୍ୱାରା ପ୍ରଣିତ ଭାରତୀୟ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଉତ୍ସବ ଅବସରରେ ଆୟୋଜିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ପୃଥିରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ ପଟେଲ ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନସୀରାଣୀ ଦାସ ଦ୍ଵିତୀୟ ଓ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୋହାନା ନାଗ ତୃତୀୟ ହୋଇ ପୁରସ୍କାର ଓ ପ୍ରଶଂସା ପତ୍ର ଗ୍ରହଣ କରିଥିଲେ । ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ନିକିତା ସିଂହ ପ୍ରଥମ, ବିଶ୍ଵଦିନୀ ବିଶ୍ଵାଳ ଦ୍ଵିତୀୟ ଓ ଅନିଶା ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ପରିଚାଳନା କରିଥିଲେ । ଧନ୍ୟବାଦ ଜଣାଇଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗର କନିଷ୍ଠ ରାଜସ୍ୱ ସହାୟକ ପୁରୁଷୋତ୍ତମ ମୁନା । ଏହି ଉତ୍ସବକୁ ସଫଳ କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ବଲାଙ୍ଗିର ପୌରପରିଷଦ ଓ ଅନ୍ଵେଷା ଛାତ୍ରାବାସର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.