
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ସମ୍ବିଧାନ ପ୍ରଣେତା ଡଃ. ବି. ଆର୍. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଏବଂ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମଗ୍ର ସହରରେ ଉତ୍ସାହ, ଶ୍ରଦ୍ଧା ଏବଂ ସାମାଜିକ ଏକତାର ପରିବେଶ ଦେଖିବାକୁ ମିଳିଥିଲା । ସେହି ବିଶାଳ ଶୋଭାଯାତ୍ରାରେ କେଜିଏନ୍ କମିଟିର ଅହମ୍ମଦ ମେମନ, ଇଞ୍ଜିନିୟର ମହମ୍ମଦ ଅବ୍ବାସ ଖାନ, ରଫି ଉଲ୍ଲାହ ଖାନ, ପ୍ରୋଜେକ୍ଟ ଡାଇରେକ୍ଟର ଇମ୍ରାନ ମେମନ, ଯାକୁବ ମେମନଙ୍କ ସହିତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ଏହା ସହିତ ଟିଟିଲାଗଡ଼ ଜାମା ମସ୍ଜିଦର ଅଧ୍ୟକ୍ଷ ଏସ୍.କେ. ସଫିକ, ୱାସିମ, ଆଶିଫ, କାସିମ ଅନସାରି, ମହମ୍ମଦ ଏଜାଜ, ଅସରଫ ଖାନ, ହସନ ଖାନ, ସାକିର ଖାନ, ଆଶିଫ ଖାନ, ଆରିଫ ଖାନ, ଏମ୍.ଇ. ସବ୍ବିର ଓ ସାଲୁ ସହିତ ବହୁ ସଂଖ୍ୟକ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସମୟରେ ପ୍ରାୟ ୧୦୦୦ ଲୋକଙ୍କୁ ସରବତ ବଣ୍ଟନ କରାଯାଇଥିଲା । ଯାହା ମଧ୍ୟରେ ସେବା, ସହଯୋଗ ଓ ସଦ୍ଭାବନାର ଭାବନାକୁ ଆହୁରି ସୁଦୃଢ଼ କରିଥିଲା । ସରବତ ବଣ୍ଟନ ସମୟରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମଧ୍ୟ ଉପସ୍ଥିତ ଥିଲେ । ସେ ତାଙ୍କ ଉଦ୍ବୋଧନରେ ସମାଜରେ ଏକତା, ସମରସତା ଓ ଭାଇଚାରା ରକ୍ଷା କରିବାକୁ ଆହ୍ୱାନ କରିଥିଲେ ଏବଂ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ନିଜେ ଜନ ସାଧାରଣଙ୍କୁ ସରବତ ବଣ୍ଟନ କରିଥିଲେ । କେଜିଏନ୍ କମିଟି ଓ ମୁସଲିମ ଜମାତଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଟିଟିଲାଗଡ଼ରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ଓ ସାମାଜିକ ଏକତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି । ଏହି ଆୟୋଜନକୁ ନେଇ ସହରବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା ଏବଂ ସମସ୍ତେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।