mahavir

କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ

  • “ନାଟକ ମୋ ସ୍ୱର, ମୋ ଶକ୍ତି ମଞ୍ଚସ୍ଥ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କିଶୋରୀ ବାଳିକା ମାନଙ୍କ ପାଇଁ ନେତୃତ୍ୱ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଇଡ଼ି କଲେଜର ସହକାରୀ ଅଧ୍ୟାପକ ଡକ୍ଟର ସୁଧାଂଶୁବାଳା ତ୍ରିପାଠୀ ଯୋଗଦେଇ କିଶୋରୀ ମାନଙ୍କ ଜୀବନରେ ଶିକ୍ଷା, ସଚେତନତା ଓ ଆତ୍ମବିଶ୍ୱାସର ମହତ୍ତ୍ୱ ବିଷୟରେ କହିବା ସହ ସଶକ୍ତିକରଣର ଅର୍ଥ କେବଳ ଅର୍ଥନୈତିକ ସ୍ୱାଧୀନତା ନୁହେଁ ବରଂ ମନୋବଳ, ନିଷ୍ପତ୍ତି ନେବାର କ୍ଷମତା ଓ ସମସ୍ୟା ସମାଧାନ ର ଦକ୍ଷତା ମଧ୍ୟ ଏହାର ଅଂଶ ବୋଲି କହିଥିଲେ । ଛାତ୍ରୀମାନେ ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରି ସେଥିପାଇଁ ପ୍ରୟାସ କରିବାକୁ ସେ ମତବ୍ୟକ୍ତ କରିଥିଲେ । ସ୍ୱାଗତ ଭାଷଣ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଦେଇଥିବା ବେଳେ ଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ବାଳିକା ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ପୋଷ୍ଟର ମ୍ୟାକିଙ୍ଗ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ପୋଷ୍ଟର ମ୍ୟାକିଙ୍ଗ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଜୁଲଫିଆ ବେଗମ ପ୍ରଥମ, ଅନିଷ୍କା ମେହେର ଦ୍ଵିତୀୟ, ନୀଳିମା ବାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ସୁହାନୀ ନାଏକ ପ୍ରଥମ, ସସ୍ମିତା ସ୍ୱାଇଁ ଦ୍ଵିତୀୟ ଓ ସୌମ୍ୟାଶ୍ରୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଅଂଶୀକା ମେହେର ପ୍ରଥମ, ଲିଳିମା ବାଗ ଦ୍ଵିତୀୟ ଓ ପିଏସ୍‌ ପ୍ରାଞ୍ଜଳ ସୁନା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ସୁହାନୀ ନାଏକ ପ୍ରଥମ, ସସ୍ମିତା ସ୍ୱାଇଁ ଦ୍ଵିତୀୟ ଓ ସୋମ୍ୟାଶ୍ରୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନାଟକ “ମୋ ସ୍ୱର, ମୋ ଶକ୍ତି” ମଞ୍ଚସ୍ଥ ହୋଇଥିଲା । ଛାତ୍ରୀ ଶୁଭଶ୍ରୀ ନାଏକ, ରୀତିକା ଦାଶ, ସୁସ୍ମିତା କୁମ୍ଭାର, ସୁଲଗ୍ନା ବକୁଳ, ଦମୟନ୍ତୀ ଖୁଆସ, ଅମ୍ରିତା ମେହେର ଓ ଶ୍ରୀଜୋଲ ପୁରୋହିତ ଏହି ନାଟକରେ ଅଭିନୟ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସବିତା ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.