ଆସନ୍ତା ୧୪ରେ ସ୍ଵାଭିମାନୀ ଓଡିଆର ନବତ୍ସୋବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ନବବର୍ଷ ଉପଲକ୍ଷେ ସ୍ୱାଭିମାନୀ ଓଡ଼ିଆ ତରଫରୁ ଆସନ୍ତା ଏପ୍ରିଲ ୧୪ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୬ଟା ସମୟରେ, ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ଗେଟ ନମ୍ବର ୬ ନିକଟସ୍ଥ ପାର୍କିଙ୍ଗ ପଡିଆରେ ପାଳିତ ହେବାକୁ ଯାଉଛି ମ୍ୟୁଜିକାଲ ନାଇଟ, “ନବୋତ୍ସବ – ୨୦୨୬” । ଏସମ୍ପର୍କରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ତରଫରୁ ସାମ୍ବାଦିକଙ୍କୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଓଡ଼ିଆ ତ‌ଥା ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ଏବଂ ଅସ୍ମିତାକୁ ବଜାୟ ରଖିବା ପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଗୌରବମୟ ଅବସର ହେବ । ପାରମ୍ପାରିକ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମୂହିକ ଅଂଶଗ୍ରହଣ ମାଧ୍ୟମରେ ସମଗ୍ର ରାଉରକେଲାବାସୀ ଆନନ୍ଦ ଓ ଏକତାର ସୂତ୍ରରେ ବାନ୍ଧି ହେବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ସାକ୍ଷୀ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିବେ, ଯାହା ସ୍ଵାଭିମାନୀ ଓଡ଼ିଆ ସଙ୍ଗଠନ ଏବଂ ରାଉରକେଲା ସହର ପାଇଁ ଏକ ସ୍ମରଣୀୟ ଉତ୍ସବ ପାଲଟିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଓଡ଼ିଆ ସେନ୍ସେସନ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଟିମ୍, ଓଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେତ ଶଶାଙ୍କ ଶେଖର ଏବଂ ବିଶେଷ ଆକର୍ଷଣ ଓଲିଉଡ଼ର ଚୁଲବୁଲି ନାୟିକା ତଥା ସୁପର ଷ୍ଟାର ଶିବାନୀ ସଂଗୀତା ପ୍ରମୁଖ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବତ୍କୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ, ବିଭିନ୍ନ କ୍ଷେତ୍ରରେ କିଛି ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେହିପରି ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ସବିତା ପ୍ରଧାନ ପ୍ରମୁଖ ଯୋଗଦେବେ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେବାପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସର୍ବଶ୍ରୀ ଅଶେଷ ମହାନ୍ତି, ଚୌଧୁରୀ ବିଜୟ ପଟ୍ଟନାୟକ, ରାଜୀବ ପ୍ରତିହାରୀ, ରଞ୍ଜନ ମହାନ୍ତି, ପ୍ରଶାନ୍ତ ସେଠୀ, ସୁଶାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲାବେଳେ ସୁଶାନ୍ତ ରାଉତ, ପ୍ରମୋଦ ପ୍ରଧାନ, ପ୍ରଣୟ ନାୟକ, ଦିପ୍ତୀରଞ୍ଜନ ବାରିକ, ବିଭୁତି ଭୂଷଣ ପୁହାଣ, ବୀଣାପାଣି ମହାପାତ୍ର, ରାହୁଲ ରାୟ, ବିକାଶ ନାୟକ, ଦୁଷ୍ମନ୍ତ ରାଉତରାୟ, ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.