ରାଉରକେଲା, (କେପିଏନ୍ଏସ୍) : ୨ ଦିନିଆ ଗସ୍ତରେ କେନ୍ଦ୍ର ସରକାରଙ୍କର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଆସି କାର୍ଯ୍ୟରତ ପ୍ରକଳ୍ପ ଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ସେଗୁଡ଼ିକ ହେଲା କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ଆଦିବାସୀ ସଂଗ୍ରହାଳୟ, ସାଇନ୍ସ ପାର୍କ, କୋଇଲ ନଗର ରିୟାକ୍ସନ ପାର୍କ ପ୍ରଭୃତି ବୁଲି କାର୍ଯ୍ୟର ତଦାରଖ କରିଥିଲେ । ଏହି ବିଷୟରେ ରାଉରକେଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଓରାମ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଚଳିତ ମାସ ୨୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଏହି ପ୍ରକଳ୍ପ ଗୁଡ଼ିକ ଉଦ୍ଘାଟିତ ହେବ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଓରାମ କହିଥିଲେ କି ଡବଲ ଇଞ୍ଜିନ ସରକାରଙ୍କ ପ୍ରଚେଷ୍ଟାରେ ବହୁ ଶୀଘ୍ର ଦିଲ୍ଲୀରୁ ରାଉରକେଲା ଉଡ଼ାଜାହାଜ ଚଳାଚଳ କରିବାର ବ୍ୟବସ୍ଥା କରାଯାଉଛି ଓ ଅତିଶୀଘ୍ର ବ୍ରାହ୍ମଣୀ ନଦୀ ଉପରେ ଏକ ନୂତନ ପୋଲର ଶିଳାନ୍ୟାସ କରାଯିବ । ୧୦ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ମିଶି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିବେ ବୋଲି ଶ୍ରୀ ଓରାମ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଶଙ୍କର ଓରାମ, ଧିରେନ ସେନାପତି, ପ୍ରମିଳା ଦାସ, ଖୁସବୁ ୟାଦବ, ମୁଖପାତ୍ର ଗଙ୍ଗାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post