ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲାରେ ଶ୍ୟାମ ବାବାଙ୍କ ଉତ୍ସବ ଦ୍ୱିତୀୟ ବର୍ଷ ହେବ ମହା ଆଡ଼ମ୍ବର ଓ ଧୁମଧାମରେ ପାଳିତ ହୋଇଯାଇଛି । ସ୍ଥାନୀୟ ମାରୱାଡ଼ି ସମାଜ ପକ୍ଷରୁ ଏହି ଧାର୍ମିକ ଅବସରକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମସ୍ତେ ଭକ୍ତିମୟ ପରିବେଶରେ ଶ୍ୟାମ ବାବାଙ୍କ ନାମ ସ୍ମରଣ କରୁଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଭବ୍ୟ ଶୋଭାଯାତ୍ରା । ମହିଳା ଓ ପୁରୁଷମାନେ ପାରମ୍ପରିକ ପୋଷାକରେ ସଜେଇ ହୋଇ ନାଚଗୀତରେ ମସଗୁଲ ହୋଇଥିଲେ । ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ସହରର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିଥିଲା । ଭକ୍ତମାନେ “ଶ୍ୟାମ ବାବା କି ଜୟ” ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଦେଇଥିଲେ । ଶେଷରେ ଏହି ଯାତ୍ରା ରାମ ମନ୍ଦିରରେ ପହଁଞ୍ଚିଥିବା ବେଳେ ସନ୍ଧ୍ୟାରେ କଳାକାରମାନେ ଶ୍ୟାମ ବାବାଙ୍କ ମହିମା ଉପରେ ଆଧାରିତ ଗୀତ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି । ଏହି ଉତ୍ସବ ମାଧ୍ୟମରେ ସାମ୍ପ୍ରଦାୟିକ ସମ୍ମିଳନ ଓ ଭକ୍ତିଭାବର ଏକ ସୁନ୍ଦର ଦୃଶ୍ୟ ସଇଁତଲାରେ ଦେଖିବାକୁ ମିଳିଥିଲା ।