- ଆଶା ନର୍ସିଂ ହୋମକୁ ସିଲ୍ କଲା ପ୍ରଶାସନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରର ଆଶା ନର୍ସିଂ ହୋମ ଠାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ତରଭା ସହରର ମହାବୀର ଅଗ୍ରୱାଲ(୪୩)ଙ୍କ ମୃତ୍ୟୁ ଘଟଣାରେ ଆଜି ନର୍ସିଂ ହୋମ କୁ ସିଲ୍ କଲା ପ୍ରଶାସନ। ଏ ନେଇ ମହାବୀରଙ୍କ ପରିବାର ପକ୍ଷରୁ ପୂର୍ବରୁ ଅଭିଯୋଗ କରାଯାଇ ଥିବା ବେଳେ ଗତକାଲି ପୁଣି ତାଙ୍କ ଛୋଟ ପୁଅ ଓ ପରିବାର ପକ୍ଷରୁ ଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ। ଆଜି ଦିନ ୨ ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଚଢ଼ାଉ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଉଷାରାଣୀ ଦାଶ, ଅଧିକ୍ଷକ ଡା. ଦୁର୍ଗାଦତ୍ତ ଦାଶ, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରକାଶ ଦଣ୍ଡସେନ, ଡିପିଏମ ରୂପକ କୁମାର ମହାପାତ୍ର, ଆସିଷ୍ଟାଣ୍ଟ ମ୍ୟାନେଜେର ହିତେଶ କୁମାର ତ୍ରିପାଠୀ, ସେକ୍ସନ ଅଫିସର ପ୍ରସନ୍ନ ବେହେରା ଙ୍କ ଉପସ୍ଥିତିରେ ସିଲ୍ କରିଛି ପ୍ରଶାସନ। କିଛି ଦିନ ପୂର୍ବରୁ ଜିଲ୍ଲାପାଳ ଡ. ନୃପରାଜ ସାହୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ମେଡିକାଲ ପରିଦର୍ଶନ କରିବା ସହ ପଞ୍ଜୀକରଣ କାଉଣ୍ଟରରେ ବସି ତଥ୍ୟ ଅନୁଧ୍ୟାନ କରିବା ପରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ୍ ଅଧିକ୍ଷକଙ୍କ ସହ ଆଲୋଚନା କରି ଶ୍ରୀ ଅଗ୍ରୱାଲଙ୍କ ଚିକିତ୍ସାର ସମସ୍ତ ତଥ୍ୟ ବୁଝିଥିଲେ । ମୁଖ୍ୟ ଚିକିତ୍ସାଳୟରୁ ରେଫର୍ କରି ସ୍ଥାନୀୟ ଆଶା ନର୍ସିଂ ହୋମକୁ ନେଇ ଚିକିତ୍ସା କରିଥିବା ଉଭୟ ଡାକ୍ତର ହଠାତ୍ ଛୁଟିରେ ପଳେଇଥିବାରୁ ଏଥିରୁ ତାଙ୍କର ତୃଟିପୂର୍ଣ୍ଣ ଚିକିତ୍ସାର ଗନ୍ଧ ବାରି ହେଉଛି ବୋଲି ବିସ୍ମିତ ହୋଇଥିଲେ । ଏହି ସବୁ ଘଟଣା ବିଷୟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ପରେ ସେଠାରୁ ତୁରନ୍ତ ଘରୋଇ ଆଶା ନର୍ସିଂ ହୋମକୁ ପରିଦର୍ଶନ କରି ଶ୍ରୀ ଅଗ୍ରୱାଲଙ୍କ ଚିକିତ୍ସା ବିଷୟରେ ବିଭିନ୍ନ ପ୍ରଶ୍ନ ସହ ତଦନ୍ତ କରିଥିଲେ । ଏବଂ ତ୍ରୁଟି ପୂର୍ଣ୍ଣ ଚିକିତ୍ସାରେ ସାମିଲ୍ ଥିବା ଡାକ୍ତର ଓ ନର୍ସିଂ ହୋମ ମାଲିକଙ୍କ ଉପରେ ମଧ୍ଯ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼. ସାହୁ କହିଥିଲେ । ସେପଟେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସୂଚନାରୁ ପ୍ରକାଶ ଯେ ତରଭା ସହରର ମହାବୀର ଅଗ୍ରୱାଲ (୪୩) ବୀରମହାରାଜପୁର ସ୍ଥିତ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟରୁ ନିଜ ଚକ୍ଷୁ ପରୀକ୍ଷା କରି ବାଇକରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ବୁଢ଼ାରଜା ଛକରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କୃତ୍ତିବାସ ସୁବୁଦ୍ଧି ଏହି ସରକାରୀ ଡାକ୍ତରଖାନାରେ କୌଣସି ସୁବିଧା ନାହିଁ। ତୁମେ ତୁରନ୍ତ ଆଶା ନସିଂ ହୋମକୁ ନେଇଯାଅ ବୋଲି କହିଥିବା ମୃତକଙ୍କ ବଡ଼ଭାଇ ସୁଦର୍ଶନ ଅଗ୍ରୱାଲ ଅଭିଯୋଗ କହିଛନ୍ତି । ପରେ ତୁରନ୍ତ ମହାବୀରଙ୍କୁ ଆଶା ନସିଂ ହୋମକୁ ନିଆଯାଇଥିଲା। ସେଠାରେ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ସମ୍ବିତ ମହାନ୍ତି ଅପରାହ୍ନ ୩ ଟାରେ ଆସି ଭାଙ୍ଗି ଯାଇଥିବା ଗୋଡରେ ଅସ୍ତ୍ରୋପଚାର ପାଇଁ କିଛି ନିଶ୍ଚେତକ ଇଞ୍ଜେକ୍ଶନ ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାବୀରଙ୍କ ଚେତା ଫେରି ନ ଥିଲା। କିନ୍ତୁ ପରିବାର ଲୋକେ ପଚାରିବାରୁ ୩/୪ ଘଣ୍ଟା ପରେ ଚେତା ଫେରିବ ତୁମେ ତୁରନ୍ତ ବଲାଙ୍ଗିର ବଡ଼ ଡାକ୍ତରଖାନା ଆଇସିୟୁ କୁ ନେଇଯାଅ ବୋଲି ଡାକ୍ତର କହିଥିଲେ। ପରିବାର ଲୋକେ ଭୀମଭୋଇ ମେଡିକାଲ କୁ ନେବା ବେଳକୁ ସେଠାରେ ମହାବୀରଙ୍କ ପ୍ରାଣବାୟୁ ଉଡି଼ ଯାଇଥିବା ଦେଖିଥିବା ପାଇଥିଲେ । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଭାଇଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ପୁଣି ଶବକୁ ସେଠାରୁ ଫେରାଇ ଆଣି ଆଶା ନସିଂ ହୋମକୁ ଯାଇ ହୋ-ହଲ୍ଲା କରିଥିଲେ । ଏ ନେଇ ସୋନପୁର ଥାନାରେ ସମ୍ପୃକ୍ତ ଡାକ୍ତର ଓ ନସିଂହୋମ ମାଲିକଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା।