ଭୁବନେଶ୍ୱର : ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନ ତଥା ଅଧ୍ୟକ୍ଷତାରେ ଏକ ପାଞ୍ଚ ଦିନିଆ ଆନ୍ତଃରାଜ୍ୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ହାଇଟେକ୍ କଲେଜ ମେଡିକାଲ କଲେଜ ରାଉରକେଲାର କାର୍ଯ୍ୟକାରୀ ଚେୟାରମ୍ୟାନ ଡ଼ଃ . ରାକେଶ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ପୂର୍ବତନ ଅବୈତନିକ ସଚିବ ତଥା ଶିଶୁ ଓ ମହିଳା ବିକାଶ ସୋସାଇଟି ଅଧ୍ୟକ୍ଷ ମେଜର ଡକ୍ଟର କଳ୍ପନା ଦାସ, ଯୁବ ରେଡ଼କ୍ରସର ରାଜ୍ୟ ସଂଯୋଜକ ଡ଼ଃ. ଗୋପାଳକୃଷ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇ ଶିବିରାର୍ଥୀ ମାନଙ୍କୁ ନିସ୍ୱାର୍ଥପର ସେବାରେ ନିଜକୁ ହଜାଇ ଦେବାକୁ ପ୍ରେରଣା ଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ଜୁନିୟର ରେଡ୍କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପାଞ୍ଚ ଦିବସୀୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯୁବ ରେଡ଼କ୍ରସର ରାଜ୍ୟ ସଂଯୋଜକ ଡକ୍ଟର ଗୋପାଳ କୃଷ୍ଣ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିବିରରେ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ଓଡ଼ିଶା ଭଳି ବିଭିନ୍ନ ରାଜ୍ୟର ଜେଆର୍ସି ପରାମର୍ଶଦାତା, ସ୍ୱେଚ୍ଛାସେବୀ ଏବଂ ରାଜ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଜାତୀୟ ସଂହତିକୁ ପ୍ରୋତ୍ସାହିତ କରିବା, ଭାରତର ସଂସ୍କୃତିକୁ ବୁଝିବା ଏବଂ ସ୍ୱେଚ୍ଛାସେବକମାନଙ୍କ ଦକ୍ଷତା ବିକାଶ ସାଧନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ନେଇ ପାଞ୍ଚ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ରେଡକ୍ରସର ଇତିହାସ, ପ୍ରାଥମିକ ସହାୟତା, ସଡ଼କ ସୁରକ୍ଷା, ସାଇବର ସୁରକ୍ଷା, ଏଚ୍ଆଇଭି ଓ ଏଡସ୍, ବିପର୍ଯ୍ୟୟ ପରିଚାଳନା, ସନ୍ଧାନ ଏବଂ ଉଦ୍ଧାର, ଜଳବାୟୁ ପରିର୍ତ୍ତନ ଭଳି ବିଭିନ୍ନ ପ୍ରସଙ୍ଗରେ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଶିବିରାର୍ଥିମାନେ ଓଡିଶଓ ରାଜ୍ୟର ସମୃଦ୍ଧ ଐତିହ୍ୟ ଜାଣିବା ପାଇଁ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ଧଉଳି ସ୍ତୂପ ଇତ୍ୟାଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ସେଚ୍ଛାସେବୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ଭାଷଣ, ରଙ୍ଗୋଲି, ଚିତ୍ରକଳା, ପ୍ରାଥମିକ ସହାୟତା, ଗୋଷ୍ଠୀ ନୃତ୍ୟ, ଗୋଷ୍ଠୀ ଗୀତ, ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ।